ସୀମା ଟପିଲା ପୋଲିସର ଦବଙ୍ଗଗିରି । ରାତି ଅଧରେ ଘରେ ପଶି ୩୦ ଜଣଙ୍କୁ ଉଠାଇନେଲା ଗୋପ୍ ପୋଲିସ । ୩୦ ଜଣଙ୍କ ମଧ୍ୟରେ ୨୦ ମହିଳା ଏବଂ ୧୦ ନାବାଳକ ଓ ପୁରୁଷ ରହିଛନ୍ତି । ଛୋଟ ପିଲା ଏବଂ ବୃଦ୍ଧ ବୃଦ୍ଧାଙ୍କୁ ପୋଲିସ ନିର୍ଘାତ ମାଡ ମାରିଛି । ରାତି ଅଧରେ କବାଟ ଭାଙ୍ଗି ଘରେ ପଶି ଜିନିଷ ପତ୍ର ଫୋପଡା ଫିଙ୍ଗା ସହ ଲୋକଙ୍କୁ ଉଠାଇନେଇଛି ଗୋପ୍ ପୋଲିସ । ପ୍ରଥମେ ରାତିରେ ଗୋପ ଥାନାକୁ ନେବାପରେ ସେମାନଙ୍କୁ ପୁରୀକୁ ପଠାଇଦେଇଥିବା ଜଣାପଡିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ରେଢୁଆ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ସୂଚନାଅନୁସାରେ ଗତ, ୬ ତାରିଖରେ ରେଢୁଆ ଗାଁକୁ ଏକ ଚୋରୀ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା ଗୋପ ପୋଲିସ । ହେଲେ ଗିରଫ ବଦଳରେ କିଛି ମହିଳାଙ୍କୁ ପୋଲିସ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଗାଁ ଲୋକ ବିରୋଧ କରିବା ସହ ରାତିସାରା ପୋଲିସ କର୍ମଚାରୀଙ୍କୁ ଗାଁରେ ଅଟକ ରଖିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀ ରେଢୁଆ ଗାଁରେ ପହଁଞ୍ଚି ବୁଝାସୁଝା କରିବା ପରେ ମୁକୁଳିଥିଲେ ଅଟକ ପୋଲିସ କର୍ମଚାରୀ । ସେହି ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନରେ ବାଧା ଦେଇଥିବା ଅଭିଯୋଗରେ ଗାଁର ୩୦ ଜଣ ମହିଳା ଏବଂ ପୁରୁଷଙ୍କୁ ଉଠାଇନେଇଥିବା ସୂଚନା ମିଳିଛି । ଏଭଳି ଏକ ବିପତ୍ତି ସମୟରେ ରାତି ଅଧିଆ ଗିରଫ ଘଟଣା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here