ଫେସବୁକରେ ଗଢି ଉଠିଥିଲା ସମ୍ପର୍କ । ଧିରେ ଧିରେ ସେଇ ସମ୍ପର୍କ ପରିଣତ ହୋଇଗଲା ପ୍ରେମରେ । ଆଉ ତାପରେ ପ୍ରେମୀ ଯୁଗଳଙ୍କ ବାରମ୍ବାର ମିଳାମିଶା ଆଉ ଦେଖା ଚାହାଁ । ସବୁଦିନ ପରି ପ୍ରେମିକ ସେଦିନ ଯାଇଥିଲା ତାର ପ୍ରେମିକାକୁ ଦେଖା କରିବାକୁ । ଯୁବତୀଙ୍କ ଘରେ କେହି ନଥିବାବେଳେ ପହଞ୍ଚିଥିଲା ପ୍ରେମିକ । ପ୍ରେମିକ ପ୍ରେମିକାଙ୍କ ମିଳନକୁ କିନ୍ତୁ ଭଲ ନଜରରେ ଦେଖି ନଥିଲେ ଗ୍ରାମବାସୀ । ନିରୋଳା ଘର ଭିତରେ ପ୍ରେମିକା ସହ ପ୍ରେମିକ ଅନ୍ତରଙ୍ଗ ମୁହୂର୍ତ୍ତ କାଟୁଥିବା ବେଳେ ଏକାଠି ହୋଇଥିଲେ ଗ୍ରାମବାସୀ । ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଅଟକ ରଖି ସେମାନଙ୍କ ଘର ଲୋକଙ୍କୁ ଡାକିଥିଲେ । ଆଉ ନିଷ୍ପତ୍ତି ହୋଇଥିଲା, ଦୁଇ ପ୍ରେମୀଙ୍କୁ ସବୁଦିନ ପାଇଁ ଏକାଠି କରିଦିଆଯିବ । ରାତାରାତି ଆୟୋଜନ ହୋଇଥିଲା ବିବାହ ଉତ୍ସବ । ଶାହାନାଇରେ କମ୍ପିଥିଲା ଗାଁ ଦାଣ୍ଡ । ଉଭୟ ପରିବାରଙ୍କ ସହମତି ଅନୁସାରେ ଦୁଇ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ଏ ହେଉଛି ଗୁଲୁଣିଆ ଗ୍ରାମ ଯୁବତୀ ଓ ବାବୁପାଟଣା ଗାଁର ଯୁବକଙ୍କ ନିଆରା ପ୍ରେମ କାହାଣୀ ।