ଅସମ୍ଭାଳ ହୋଇପଡିଛି ଗ୍ରୀଷ୍ମ ପ୍ରବାହ । ଟକ୍ ମକ ହୋଇ ଫୁଟୁଥିବା ତାତିରେ ସନ୍ତୁଳି ହେଉଛି ବୌଦ୍ଧ ଜିଲ୍ଲା । ୪୦ଡିଗ୍ରୀ ତାପମାତ୍ରା ଥରାଇ ଦେଉଛି ଜନଜୀବନକୁ । ସକାଳ ୮ରୁ ୩ଟା ଯାଏ ସତେ ଯେମିତି ଆକାଶରୁ ଅଗ୍ନି ବର୍ଷା ହେଉଛି । ଝାଞ୍ଜି ମାଡ ଏବଂ ଗୁଳୁଗୁଳି ସହ ତାଉ ସାଧୁଛି ପାୱର କଟ୍ । ପ୍ରବଳ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆଗକୁ ଖରା ଆହୁରୀ ବଢିବାର ସମ୍ଭାବନା ରହିଛି । ଲକ ଡାଉନ କୋହଳ ପରେ ଲୋକେ ନିଜ କାମ କୁ ଯିବା କୁ ଚାହୁଁଥିଲେ ମଧ୍ୟ ଖରା ପାଇଁ ଯାଇ ପାରୁନଥିବା କହିଛନ୍ତି ସ୍ଥାନୀୟ ଲୋକେ ।
ସେପଟେଏଭଳି ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟର ୧୦ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ଭୟଙ୍କର ତାତି ସହ ଝାଞ୍ଜି ମାଡ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗିର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି ଓ ସମ୍ବଲପୁର । ଏହାର ପ୍ରଭାବରେ ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରବଳ ତାତି ।