ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ । କମିଟିରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ୍ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି । ଏହି କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠାପାଇଁ ଅନୁମୋଦନ କରିଥିବାବେଳେ ଅନ୍ୟ ୭ଟି ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି । ଏଥିମଧ୍ୟରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋରୋ ଓ ଜଳେଶ୍ୱରରେ ଗୋଟିଏ କରି, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କେରାପୁଟ ଏବଂ ଗଜପତି ଜିଲ୍ଲାର ଆର.ଉଦୟଗିରି ରହିଛି ।
ଅନୁରୂପ ଭାବେ ୫ଟି ସିଭିଲ ଜଜ କୋର୍ଟ(ସିନିଅର ଡିଭିଜନ)କୁ କମିଟି ଅନୁମୋଦନ ଦେଇଛନ୍ତି । ଏଗୁଡିକ ନୟାଗଡ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡା ଏବଂ ସୋନପୁର ଜିଲ୍ଲାର ରାମପୁର ଠାରେ ହେବ । ସେହିପରି ଏଗାରଟି ସ୍ଥାନରେ ସିଭିଲ ଜଜ କୋର୍ଟ (ଜୁନିଅର ଡିଭିଜନ) ସ୍ଥାପନ ହେବ । ଏଗୁଡିକ ବଲାଙ୍ଗିର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋରୋ, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ ଜିଲ୍ଲାର ବାରକୋଟ, ଜଗତ୍ସିୋଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡାରେ ପ୍ରତିଷ୍ଠା ହେବ ।
ଏଥି ସହିତ ମିଟି ମଧ୍ୟ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଗୁଡିକ ମଧ୍ୟରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗିର ସଦର, କେନ୍ଦ୍ରାପଡା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ ।
ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍କୁକ ଅନୁମୋଦନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ୪ଟି ବାଣିଜ୍ୟିକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବାବେଳେ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍ କୋର୍ଟ (ସିନିଅର ଡିଭିଜନ) କୁ ଅନୁମୋଦନ କରାଯାଇଛି । ଓଡିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରୀ ପାଇଥିବା ଏହି ଅଦାଲତ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here