ଅନଲାଇନ ଶିକ୍ଷାର ବିକଳ ଚିତ୍ର । କଅଁଳ ହାତରେ ଦା’ । କଅଁଳ ପାଦ କ୍ଷେତରେ । ଅନଲାଇନରେ ପାଠ ପଢିବାକୁ ହେଲେ ଦରକାର ସ୍ମାର୍ଟଫୋନ । ଆଉ ସ୍ମାର୍ଟଫୋନ ପାଇଁ ଏବେ ଭାଇ ଭଉଣୀ କ୍ଷେତରେ ମୁଲ ଲାଗୁଛନ୍ତି । ଅନଲାଇନ ଶିକ୍ଷାକୁ ନେଇ ଆପଣ ଅନେକ ଚିତ୍ର ଦେଖିଥିବେ । ନେଟୱାର୍କ ପାଇଁ କିଏ ଗଛ ଉପରେ ତ କିଏ ପାହାଡ ଉପରକୁ ଯାଉଥିବାର ଆପଣମାନେ ଦେଖିଥିବେ । ହେଲେ ଏ ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ । ସ୍ମାର୍ଟ ଫୋନରେ ପାଠ ପଢିବାକୁ ଦାଦନ ସାଜିଛନ୍ତି ଦୁଇ ଭାଇ ଭଉଣୀ । ଲକ୍ ଡାଉନ୍ ପାଇଁ ଯେତେବେଳେ ସବୁ ସ୍କୁଲ , କଲେଜ ବନ୍ଦ ହୋଇଗଲା ସେତେବେଳେ ଶିକ୍ଷା ବର୍ଷକୁ ଆଗକୁ ସରକାର ଅନଲାଇନ୍ କ୍ଲାସକୁ ଗୁରୁତ୍ୱ ହେଲେ । ହେଲେ ଅଧିକାଂଶ ପିଲା ସ୍ମାର୍ଟ ଫୋନ ଅଭାବରୁ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ରାୟଗଡା ଜିଲ୍ଲାର ଜାମୁଲିମା ଗାଁ । ଶଙ୍କର ବିଡିକାଙ୍କ ପରିବାର କହିଲେ ୮ ଜଣ । ଏମାନଙ୍କୁ ନେଇ ପରିବାର ପ୍ରତିପୋଷଣ କରିବା କାଠିକର ପାଠ । ଆଉ ପୁଅ ରୋହିତ ଏବଂ ଝିଅ ମୋନିକା ପାଇଁ ଅନଲାଇନ ପାଠପଢା ଏବେ ସମସ୍ୟା । ଫଳରେ ମୂଲ ଲାଗିବାକୁ ଏମାନେ ବାଧ୍ୟ ହେଉଛନ୍ତି । ଗାଁରେ ମୋବାଇଲ ନେଟୱାର୍କ ଅଛି ସତ କିନ୍ତୁ ଏମାନଙ୍କ ପାଖରେ ସ୍ମାର୍ଟ ଫୋନ ଟିଏ ନାହିଁ । ରୋହିତ ସପ୍ତମ ଶ୍ରେଣିରେ ପଢୁଥିବାବେଳେ ମୋନିକା ଷଷ୍ଠ ଶ୍ରେଣିରେ ପାଠ ପଢେ । ତେବେ ପରିବାର ଅଭାବି ସ୍ଥିତିକୁ ଦେଖି ଉଭୟେ ଭାଇ ଭଉଣୀ ଅଣ୍ଟା ଭିଡିଛନ୍ତି ମାଣ୍ଡିଆ ବାଡରେ ମୁଲ ଲାଗି ସ୍ମାର୍ଟ ଫୋନଟିଏ କିଣିବା ପାଇଁ । ଉଜୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ସରକାର ଆରମ୍ଭ କରିଛନ୍ତି ଅନଲାଇନ ଶିକ୍ଷା ବ୍ୟବସ୍ଥା । ଗୋଟିଏ ପଟେ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ଅଭାବରୁ ପିଲାଏ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ହେଲେ ଏଠାରେ କିନ୍ତୁ ନେଟୱାର୍କ ଥାଇସୁଧା ମୋବାଇଲ ଅଭାବରୁ ରୋହିତ ଏବଂ ମୋନିକାଙ୍କ ଭଳି ଅନେକ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here