ପୁରୀରେ ଶ୍ରୀମନ୍ଦିର ପରିସରରେ ଜଣେ ହବିଷିଆଳିଙ୍କୁ ପୋଲିସ ମାଡ ମାରି ଲହୁଲୁହାଣ କରିଦେଇଛି । ହବିଷିଆଳି ଜଣକ ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ । ସେ ବାସେଳି ସାହିରେ ବେସରକାରୀ ହବିଷିଆଳି ଶିବିରରେ ରହୁଥିଲେ । ଆଜି ସେ ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କ ଦର୍ଶନ ପାଉଁ ଯାଇଥିବା ବେଳେ ଘଣ୍ଟିଦ୍ବାର ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା । ଭିଡ ଭିତରେ ପୋଲିସ ସହ ମାଧୁରୀଙ୍କ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ପୋଲିସ କର୍ମଚାରୀ ଜଣକ ତାଙ୍କୁ ଏମିତି ଠେଲି ଦେଇଥିଲେ ଯେ, ସେ ତଳେ ପଡିଯାଇଥିଲେ । ତାଙ୍କର ମୁଣ୍ଡ ଫାଟି ଯାଇଥିଲା । ମାଧୁରୀଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ତେବେ ଯେଉଁଭଳି ଭାବେ ପୋଲିସ ତାଙ୍କୁ ଠେଲି ରକ୍ତାକ୍ତ କଲା, ତାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ଏହି ଘଟଣାରେ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି । ପୁରୀ ଏସପି ହସପିଟାଲକୁ ଯାଇ ଆହତ ହବିଷିଆଳି ମହିଳାଙ୍କୁ ଦେଖି ଫେରିଛନ୍ତି ।