ରୁଷର ଉଫାରେ ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଚାରି ଜଣ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ସହିତ ଅନେକ ଲୋକ ଆହତ ହୋଇଛନ୍ତି। ଭାରତୀୟ ଦୂତାବାସ ଶନିବାର ରାତିରେ ଏହି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିବା ସହ,ଏହା କହିଛି ଯେ ସମସ୍ତ ଆହତ ଛାତ୍ର ଏବେ ଚିକିତ୍ସା ପାଉଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଭାରତୀୟ ଦୂତାବାସ କହିଛି ଯେ, ଉଫାରେ ଏକ ଦୁର୍ଭାଗ୍ୟଜନକ ଆକ୍ରମଣ ଘଟିଛି, ଯେଉଁଥିରେ ଚାରି ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି। ଦୂତାବାସ କହିଛି ଯେ ଏହା ସ୍ଥାନୀୟ ରୁଷ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛି, ଏବଂ କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ଉଫା ଯାଇଛନ୍ତି। ଜଣେ ୧୫ ବର୍ଷୀୟ ବାଳକ ଉଫାର ଷ୍ଟେଟ୍ ମେଡିକାଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ପ୍ରବେଶ କରି ସିଧା ଛାତ୍ରାବାସକୁ ଯାଇ ହଠାତ୍ ସେଠାରେ ଥିବା ଛାତ୍ରମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ରୁଷିଆ ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଅଭିଯୁକ୍ତ ଜଣକ ଅନେକ ଛାତ୍ରଙ୍କୁ ଛୁରୀ ମାଡ଼ କରିଥିଲା। ପୋଲିସ ଧରିବାକୁ ଚେଷ୍ଟା କରିବା ସମୟରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଆକ୍ରମଣରେ ଆହତ ଚାରି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଏକ ନିଷିଦ୍ଧ ନିଓ-ନାଜି ସଂଗଠନ ସହିତ ଜଡିତ ଥିଲା। ଆକ୍ରମଣ କରିବା ବେଳେ ସେ ଜାତୀୟତାବାଦୀ ସ୍ଲୋଗାନ ଦେଉଥିଲା ବୋଲି ଜଣାପଡିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଘଟଣାର ତଦନ୍ତ କରୁଛନ୍ତି।














