ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ଦୂତାବାସ । ସେଠାରେ ରହୁଥିବା ସମସ୍ତ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ଛାତ୍ରଙ୍କ ପାଇଁ ଏହା ଜାରି କରାଯାଇଛି । ଦୂତାବାସ ପକ୍ଷରୁ ଏହା ସୂଚିତ କରାଯାଇଛି ଯେ ଗତ ଜାନୁଆରୀ ୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଇରାନରେ ଲଗାତର ଭାବେ ବଦଳୁଥିବା ପରିସ୍ଥିତିକୁ ଆଖିରେ ରଖି ଭାରତୀୟ ନାଗରିକଙ୍କୁ ବାଣିଜ୍ୟିକ ବିମାନ ହେଉ କିମ୍ବା ଅନ୍ୟ ପରିବହନ ବ୍ୟବସ୍ଥା ମାଧ୍ୟମରେ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଭାରତୀୟ ନାଗରିକ ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ପ୍ରତିବାଦ କିମ୍ବା ପ୍ରଦର୍ଶନ କ୍ଷେତ୍ରକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଇରାନରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ସହ ଯେକୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବାକୁ କୁହାଯାଇଛି ।ଏହା ସହ ଭାରତୀୟ ଦୂତାବାସର ଜରୁରୀକାଳୀନ ସହାୟତା ଯୋଗାଯୋଗ ନମ୍ବର ଜାରି କରାଯାଇଛି । ନମ୍ବରଗୁଡ଼ିକ ହେଲା- +୯୮୯୧୨୮୧୦୯୧୧୫,+୯୮୯୯୩୨୧୭୯୩୫୯,,+୯୮୯୧୨୮୧୦୯୧୦୨ ଏବଂ +୯୮୯୧୨୮୧୦୯୧୦୯ । ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଏବଂ ପ୍ରବାସନ ଡକ୍ୟୁମେଣ୍ଟ, ପାସପୋର୍ଟ ଏବଂ ପରିଚୟପତ୍ର ସହିତ ସମସ୍ତ କାଗଜପତ୍ର ନିଜ ସାଥିରେ ରଖନ୍ତୁ । ଯେକୌଣସି ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।














