ପୋଲାଭରମ ହେଉ ଅବା କୋଟିଆ । ନେରେଡି ହେଉ ଅବା ଝଞ୍ଜାବତୀ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳସେଚନ ପ୍ରକଳ୍ପ ଓ ସୀମା ପ୍ରସଙ୍ଗକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି । ମାତ୍ର ଗତ କୋଡିଏ ବର୍ଷ ଭିତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦ ମଧ୍ୟରୁ କୌଣସି ଗୋଟିଏ ବି ବିବାଦର ସମାଧାନ ହୋଇପାରିନି । ବରଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ଦିନକୁଦିନ ବଢି ବଢି ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓଡିଶା ଗସ୍ତ ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବିପାକ୍ଷିକ ଆଲୋଚନା ଦୁଇରାଜ୍ୟ ପାଇଁ ଗୁରୁତ୍ବ ବହନ କରୁଛି । ଯାହା ଅନେକ ଦିନ ଆଗରୁ ହେବାର ଥିଲା, ତାହା ବିଳମ୍ବରେ ହେଲେ ମଧ୍ୟ ସ୍ବାଗତଯୋଗ୍ୟ । ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥା ଭିତରେ ଦ୍ବିପାକ୍ଷିକ ବିବାଦର ସମାଧାନ କରିବେ ବୋଲି ଆଲୋଚନା କରିଛନ୍ତି । ପୋଲାଭରମ୍, ନେରେଡି, ଝଞ୍ଜାବତୀ, ବାହୁଡା ନଦୀ ପାଣି ଛାଡିବା ନେଇ ବିବାଦର ଆପୋଷ ସମାଧାନ ଉପରେ ଦୁଇ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ସେହିପରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ପାଇଁ ମୁଖ୍ୟଶାସନ ସଚିବସ୍ତରୀୟ କମିଟି ଗଠନ କରାଯିବ । ମିଳିତ ଭାବେ ଦୁଇ ରାଜ୍ୟ ସରକାର ମାଓବାଦୀଙ୍କ ମୁକାବିଲା କରିବେ । ବି.ଆର.ଆମ୍ବେଦକର ୟୁନିଭରସିଟି, ଶ୍ରୀକାକୁଲମ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା କରିବା ପାଇଁ ଦୁଇ ରାଜ୍ୟ ନିଷ୍ପତ୍ତି ନେବା ସ୍ବାଗତଯୋଗ୍ୟ ।

LEAVE A REPLY

Please enter your comment!
Please enter your name here