ଆସନ୍ତାକାଲି ବାରବାଟୀରେ ହେବାକୁ ଯାଉଛି ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ । ଟିକେଟ କଳାବଜାରୀକୁ ନେଇ ଖବର ସାମ୍ନାକୁ ଆସିବା ପରେ, ଏହି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ବିଡାନାସୀ ଓ ଦରଘା ବଜାର ଥାନା ପୋଲିସ । ଲୋକଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି ଟିକେଟ୍ । ବାରବାଟୀ ଟିକେଟ୍ ଓ ପାସ୍ କଳାବଜାରୀ କରିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବିଡାନାସୀ ଓ ଦରଘା ବଜାର ଥାନା ପୋଲିସ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଏହି ୪ ଜଣ ବ୍ୟକ୍ତି ଟିକେଟ ଓ ପାସ୍ କଳାବଜାରୀ କରୁଥିଲେ । ସେମାନଙ୍କ ନିକଟରୁ ୨୧ଟି ପାସ୍ ଓ ଟିକେଟ୍ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଚଳିତ ଥର ବାରବାଟୀ ମ୍ୟାଚ୍ ପାଇଁ ୨ ହଜାର ଟିକେଟ୍ ଅନଲାଇନ୍ରେ ଉପଲବ୍ଧ ହୋଇଥିବା ବେଳେ ୧୦ ହଜାର ଟିକେଟ୍ ଅଫଲାଇନରେ ସାଧାରଣ ଦର୍ଶକ ପାଇଁ ଉପଲବ୍ଧ ହୋଇଥିଲା । ସାଧାରଣ ଦର୍ଶକ ପାଇଁ ୧୨ ହଜାର ଟିକେଟ୍ ଉପଲବ୍ଧ ହୋଇଥିଲା । ଷ୍ଟାଡିୟମକୁ ଯାଇ ପାଖରୁ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ସମସ୍ତଙ୍କ ଇଚ୍ଛା । ଏଥିପାଇଁ କୌଣସି ଉପାୟରେ ଟିକେଟ୍ ପାଇବା ପାଇଁ କ୍ରିକେଟ୍ ପ୍ରେମୀ ବଡ ତତ୍ପର । ଆଉ ଏହାର ସୁଯୋଗ ନେଇ ମାତିଛନ୍ତି କଳାବଜାରୀ ।














