କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମରିଖୋଲ ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସମଲିଙ୍ଗୀ ପ୍ରେମ. ମାମଲା ଏବେ ପୋଲିସ ଥାନାରେ ପହଞ୍ଚିଛି. ମିଳିଥିବା ସୂଚନା ଅନୁସାରେ, ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିକୋଲ ଗାଁର ରିବିକା ସୁନା ନୟାଗଡର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲା. ମାତ୍ର ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଉକ୍ତ ଯୁବକ ତାକୁ ଛାଡି ଚାଲିଯାଇଥିଲା. ପରେ ରିବିକା ତାଙ୍କୁ ଖୋଜିବା ପାଇଁ ନୟାଗଡ ଯାଇଥିଲା. ମାତ୍ର ଖୋଜାଖୋଜି ପରେ ମଧ୍ୟ ସେ ତା ସ୍ୱାମୀକୁ ପାଇ ନଥିଲା. ବାଧ୍ୟ ହୋଇ ଏ ସଂକ୍ରାନ୍ତରେ ନୟାଗଡ ପୋଲିସକୁ ଜଣାଇଥିଲା. ପରେ ପୋଲିସ ରିବିକାକୁ ଏକ ଅନାଥ ଆଶ୍ରମରେ ଛାଡିଥିଲେ. ସେହି ଅନାଥ ଆଶ୍ରମରେ ଥିବା ପିଙ୍କି କୁମାରୀ ପାତ୍ରଙ୍କ ସହ ରିବିକାର ଦେଖା ହୋଇଥିଲା. ରିବିକା ପିଙ୍କିର ଫୋନ ନମ୍ବର ଆଣି ତା ସହ କଥାବାର୍ତ୍ତା ଆରମ୍ଭ କରିଥିଲା. କିଛିମାସ ଗଲା ପରେ ପିଙ୍କି ରିବିକା ଘରେ ପହଞ୍ଚି ସେଠାରେ ରହିଥିଲା. ପରବର୍ତ୍ତୀ ସମୟରେ ପଡୋଶୀ ଘରେ ଥିବା ଝିଅ ରମଣୀ ସୁନାଙ୍କ ସହ ତାର ମିଳାମିଶା ଚାଲିଲା. ସେହି ସମୟ ମଧ୍ୟରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ ଓ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ. ଦୁହେଁ ଘରୁ ଫେରାର ହୋଇଯାଇଥିଲେ. ପରେ ରିବିକା ବୁଝାସୁଝା କରି ଦଶପଲ୍ଲାରୁ ସେମାନଙ୍କୁ ଧରି ଜୟପାଟଣା ଥାନାରେ ହାଜର କରାଇଥିଲେ. ବର୍ତ୍ତମାନ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି.