ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଆୟୁଷ ସ୍ଵାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟର ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆୟୁଷ ଡାକ୍ତରମାନଙ୍କ ଅବଦାନ ପ୍ରତି ଗୁରୁତ୍ୱଦେଇ, ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏହି ନିଷ୍ପତ୍ତି ନେଇଛନ୍ତି । ଏନ୍ଏଚ୍ଏମରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତରଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି । ୫ରୁ ୧୦ ବର୍ଷ ମଧ୍ୟରେ ସେବା କରିଥିବା ଡାକ୍ତରମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧି କରାଯାଇଛି । ୧୦ରୁ ୧୫ ବର୍ଷ ସେବା କରିଥିବା ଡକ୍ଟରଙ୍କ ପାଇଁ ମାସକୁ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି ଏବଂ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିବା ଆୟୁଷ ଡାକ୍ତରଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ୨୯୧୨ ଜଣ ଆୟୁଷ ଡାକ୍ତର ନିୟୋଜିତ ଅଛନ୍ତି ।














