ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଡିସେମ୍ବର ୭ ରାତି ୮ଟା ସୁଦ୍ଧା ସମସ୍ତ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ମନ୍ତ୍ରଣାଳୟ ଦେଇଛି ନିର୍ଦ୍ଦେଶ । ଏହା ସହ ଯାତ୍ରୀମାନଙ୍କ ବ୍ୟାଗକୁ ଚିହ୍ନଟ କରି ତୁରନ୍ତ ଘରେ ପହଁଚାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । କର୍ମଚାରୀଙ୍କ ସାପ୍ତାହିକ ବିଶ୍ରାମ ନିୟମ ଯୋଗୁଁ ଇଣ୍ଡିଗୋରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଦୀର୍ଘ ୫ ଦିନ ହେବ ଯାତ୍ରୀମାନେ ବହୁତ୍ଅ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚେକ୍ ଇନ୍ ପରେ ବିମାନ ଉଡ଼ାଣରେ ବିଳମ୍ବ କୁହାଯାଉଛି ଏବଂ ପରେ ବାତିଲ କରାଯାଉଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦେଶ ସାରା ବିମାନ ବନ୍ଦରରେ ଇଣ୍ଡିଗୋର ଏପରି ଅଚଳାବସ୍ଥା ସୃଷ୍ଟି ହୋଇଛି । ତେଣୁ ବିମାନଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରଣାଳୟ ୭ ଡିସେମ୍ବର ୨୦୨୫ ରବିବାର ରାତି ୮ଟା ସୁଦ୍ଧା ସମସ୍ତ ବାତିଲ କିମ୍ବା ବାଧାପ୍ରାପ୍ତ ବିମାନ ପାଇଁ ଫେରସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ବାତିଲ ଦ୍ୱାରା ଯାତ୍ରା ସମୟରେ ପ୍ରଭାବିତ ହୋଇଥିବା ଯାତ୍ରୀମାନଙ୍କ ପାଇଁ କୌଣସି ପୁନଃନିର୍ଦ୍ଧାରିତ ବା ରିସିଡ୍ୟୁଲ ଶୁଳ୍କ ଆଦାୟ ନକରିବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ରିଫଣ୍ଡ ପ୍ରକ୍ରିୟାକରଣରେ କୌଣସି ବିଳମ୍ବ ନକଲେ ତୁରନ୍ତ ନିୟାମକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଓ ଅଭିଯୋଗ ସମାଧାନ ସୁନିଶ୍ଚିତ କରିବା ପାଇଁ, ଇଣ୍ଡିଗୋକୁ ଉତ୍ସର୍ଗୀକୃତ ଯାତ୍ରୀ ସହାୟତା ଏବଂ ରିଫଣ୍ଡ ସୁବିଧା କକ୍ଷ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିରେ ସମ୍ପୂର୍ଣ୍ଣ ସ୍ଥିରତା ନ ଆସିବା ଯାଏ ସ୍ୱୟଂଚାଳିତ ରିଫଣ୍ଡ ବ୍ୟବସ୍ଥା ସକ୍ରିୟ ରଖିବାକୁ କୁହାଯାଇଛି । ଯାତ୍ରୀଙ୍କ ଠାରୁ ନିଆଯାଇଥିବା ସମସ୍ତ ଲଗେଜକୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଯାତ୍ରୀଙ୍କ ବାସସ୍ଥାନ କିମ୍ବା ସେମାନଙ୍କ ଦ୍ୱାରା ଦିଆଯାଇଥିବା ଠିକଣାରେ ପହଞ୍ଚାଇବାକୁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ।














