ଡିଜିସିଏ ଶୁକ୍ରବାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦେଶର ବିମାନ ବ୍ୟବସ୍ଥାରେ ଜାରି ଅବ୍ୟବସ୍ଥା ପାଇଁ ଡିଜିସିଏ ଚାରି ଫ୍ଲାଇଟ୍ ଅପରେସନ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି । ଏହି ଅଧିକାରୀ ଏୟାରଲାଇନର ସୁରକ୍ଷା ଓ ପାଇଲଟ ପ୍ରଶିକ୍ଷଣ ଓ ପରିଚାଳନା ଅନୁପାଳନ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିରୀକ୍ଷଣ କରିଥାନ୍ତି । ଗତ କିଛି ଦିନରେ ଇଣ୍ଡିଗୋର ଶତାଧିକ ଉଡାଣ ରଦ୍ଦ ହେବାରୁ ସମଗ୍ର ଦେଶରେ ବିମାନ ଚଳାଚଳରେ ସଙ୍କଟ ଦେଖା ଦେଇଥିଲା ।ଗତ ସପ୍ତାହରେ ପୁରା ଦେଶରେ ଇଣ୍ଡିଗୋ ୧୬୬୦ରୁ ଅଧିକ ଉଡାଣ ରଦ୍ଦ କରିଥିଲା । ଏହି ସଙ୍କଟର ମୁଖ୍ୟ କାରଣ ହେଉଛି ଇଣ୍ଡିଗୋ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ ଫେଜ-୨ର ନିୟମ ପାଳନ କରି ନ ଥିଲା । ଇଣ୍ଡିଗୋର ଏମିତି ମନମୁଖୀ କାର୍ଯ୍ୟ ଏବଂ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଥିଲେ । ଯାତ୍ରୀଙ୍କୁ ରିଫଣ୍ଡ ସୁନିଶ୍ଚିତ କରିବା ପାଇଁ ସମୟସୀମା ନିର୍ଦ୍ଧାରିତ ସହ ଅନ୍ୟ ଏୟାରଲାଇନକୁ ଟିକେଟ୍ ଦର ନିୟନ୍ତ୍ରଣରେ ରଖିବାକୁ ଆଦେଶ ଦିଆଗଲା ଏବଂ ଇଣ୍ଡିଗୋକୁ ନିଜର ଦୈନିକ ଉଡାଣରେ ୧୦ ପ୍ରତିଶତ ହ୍ରାସ କରାଗଲା । ଏହି ହ୍ରାସ ପରେ ଇଣ୍ଡିଗୋ ୧୯୫୦ ଉଡାଣ ସଞ୍ଚାଳିତ କରିବ । ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨୩୦୦ ଡଉାଣ ସଞ୍ଚାଳିତ କରିଥାଏ । କିନ୍ତୁ ଇଣ୍ଡିଗୋର କାର୍ଯ୍ୟ ଶୈଳୀ ଦେଖି ଉଡାଣ ସଂଖ୍ୟାରେ ଡିଜିସିଏ ହ୍ରାସ କରିଛି । ଦିନକୁ ଦିନ ବିମାନ ଚଳାଚଳ ସ୍ଥିତି ସ୍ୱାଭାବିକ ହେଉଛି।













