ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆପତ୍ତି ଉଠାଇବା ସହ ଚିଠି ଲେଖିଛନ୍ତି । ମାୟାପୁର ସ୍ଥିତ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସାଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଲେଖିଛନ୍ତି, “ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ଦେଶରେ ଥିବା ଇସ୍କନ ମନ୍ଦିର ସ୍ନାନ ଯାତ୍ରା ଓ ରଥ ଯାତ୍ରା ନିର୍ଦ୍ଦିଷ୍ଟ ତିଥିରେ ପାଳନ କରିବା କଥା ।” ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସା ଅକ୍ଟୋବର ୧୯ରେ ଚିଠି ଲେଖି ଜଣାଇଛନ୍ତି, “ଜ୍ୟେଷ୍ଠ ପୂର୍ଣ୍ଣିମା ସମୟରେ ଭାରତର ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା ଆୟୋଜନ କରାଯିବ । କିନ୍ତୁ ବିଦେଶରେ ଥିବା ବିଭିନ୍ନ ଇସ୍କନ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୯ ଦିନ ଭିତରେ ସାରିବାକୁ ନେଇ ସହମତ ହୋଇପାରୁ ନାହୁଁ ।” ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରୁ ରଥଯାତ୍ରା ଆରମ୍ଭ ହୋଇଥାଏ । ପୁଣି ଥରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଇସ୍କନକୁ ତାଙ୍କ ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଗଜପତି ମହାରାଜ ଲେଖିଛନ୍ତି, “ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରୁ ବିଶ୍ବର ସମସ୍ତ ମନ୍ଦିରରେ ୯ ଦିନ ଧରି ଜଗନ୍ନାଥଙ୍କ ରଥଯାତ୍ରା ହୋଇଆସୁଛି। ଏହି ପରମ୍ପରା ପୁରାତନ କାଳରୁ ଚାଲିଆସିଛି।”ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପ୍ରଥମଥର ଏଭଳି ବିବାଦ ଦେଖା ଦେଇ ନାହିଁ । ପୂର୍ବରୁ ଭାରତ ଓ ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରି ଆସୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜ ବିରୋଧ କରି ଆସୁଛନ୍ତି ।














