ଆଜି ସମଗ୍ର ଦେଶରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଉଦ୍ୟାପିତ ହେଉଛି। ଏହି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ ହେଉଛି। ଗୁଜରାଟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, କଂଗ୍ରେସର ଭୁଲ ନୀତି ଯୋଗୁଁ ଜମ୍ମୁ-କାଶ୍ମୀରର ଏକ ଅଂଶ ପାକିସ୍ତାନ ହାତକୁ ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଧାରା ୩୭୦ ହଟିବା ପରେ କାଶ୍ମୀର ଏବେ ଦେଶର ମୁଖ୍ୟସ୍ରୋତ ସହ ଯୁକ୍ତ ହୋଇଛି। ସେ କହିଛନ୍ତି, ସମଗ୍ର ବିଶ୍ବ “ଅପରେସନ ସିନ୍ଦୂର” ମାଧ୍ୟମରେ ଦେଖୁଛି ଯେ, ଭାରତ ଏବେ ନିଜ ଶତ୍ରୁଙ୍କୁ ଘରେ ପଶି ମାଡ଼ ମାରିବାକୁ ସକ୍ଷମ। ପ୍ରଧାନମନ୍ତ୍ରୀଙ୍କ ମତାନୁସାରେ, ଭାରତର ପ୍ରତିକ୍ରିୟା ସର୍ବଦା ଶକ୍ତିଶାଳୀ ଓ ନିର୍ଣ୍ଣାୟକ ଥାଏ , ଏହା ଦେଶର ଶତ୍ରୁମାନଙ୍କ ପାଇଁ ଏକ ସଫଳ ସନ୍ଦେଶ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ସର୍ଦ୍ଦାର ସାହେବ ଦେଶର ସାର୍ବଭୌମତ୍ୱକୁ ସବୁବେଳେ ସର୍ବୋପରି ରଖିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ମୃତ୍ୟୁ ପରେ ସେତେବେଳର ସରକାର ଦେଶର ସାର୍ବଭୌମତ୍ବ ପ୍ରତି ସମାନ ଗମ୍ଭୀରତା ଦେଖାଇନଥିଲେ । କଶ୍ମୀରରେ ହୋଇଥିବା ଭୁଲ, ଉତ୍ତର-ପୂର୍ବରେ ସୃଷ୍ଟି ହୋଇଥିବା ସମସ୍ୟା ଏବଂ ଦେଶସାରା ନକ୍ସଲବାଦୀ ଏବଂ ମାଓବାଦୀ ଆତଙ୍କବାଦର ପ୍ରସାର ଦେଶର ସାର୍ବଭୌମତ୍ୱ ପ୍ରତି ସିଧାସଳଖ ଚ୍ୟାଲେଞ୍ଜ ଥିଲା । ସର୍ଦ୍ଦାର ସାହେବଙ୍କ ନୀତି ଅନୁସରଣ କରିବା ପରିବର୍ତ୍ତେ, ସେତେବେଳର ସରକାରମାନେ ଏକ ମେରୁଦଣ୍ଡହୀନ ଆଭିମୁଖ୍ୟ ବାଛିଥିଲେ । ଦେଶ ହିଂସା ଏବଂ ରକ୍ତପାତ ରୂପରେ ପରିଣାମ ଭୋଗ କରିଥିଲା ।”ସର୍ଦ୍ଦାର ସାହେବ ଚାହୁଁଥିଲେ ଯେ କାଶ୍ମୀରକୁ ମଧ୍ୟ ସେପରି ଏକୀକୃତ କରାଯାଉ ଯେପରି ସେ ଅନ୍ୟ ଗଡ଼ଜାତ ରାଜ୍ୟଗୁଡ଼ିକୁ ଏକୀକୃତ କରିଥିଲେ। କିନ୍ତୁ ନେହେରୁ ଏହା କରିବାକୁ ଦେଇ ନଥିଲେ । କାଶ୍ମୀରକୁ ଏକ ସ୍ୱତନ୍ତ୍ର ସମ୍ବିଧାନ ଏବଂ ଏକ ପୃଥକ ପତାକା ସହିତ ବିଭାଜିତ କରାଯାଇଥିଲା ।














