ଓଡ଼ିଶାରେ ଥିବା ପଛୁଆ ବର୍ଗ ( SCBC )ଙ୍କ ସମସ୍ୟା ଏବେ ଦୂର ହେବ। କେନ୍ଦ୍ରୀୟ ଓବିସି ତାଲିକାରୁ ବାଦ ପଡ଼ିଥିବା ରାଜ୍ୟର ପଛୁଆ ବର୍ଗଙ୍କୁ ସାମିଲ କରାଯିବ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ଓବିସି କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର ଏହି ପ୍ରତିଶ୍ରୁତି ଦେଇଛନ୍ତି । ଜାତୀୟ ଓବିସି କମିଶନ ଅଧ୍ୟକ୍ଷ ଏହାକୁ ନେଇ ପଛୁଆ ବର୍ଗ ପ୍ରତିନିଧିଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକସେବା ଭବନରେ ଭେଟି ଆଲୋଚନା ମଧ୍ୟ କରିଛନ୍ତି।ରାଜ୍ୟ ଅତିଥି ଭବନରେ ୫୦ରୁ ଅଧିକ ବିଭିନ୍ନ ଜାତି ବର୍ଗର ପ୍ରତିନିଧି ନିଜ ଜାତିକୁ ପଛୁଆ ବର୍ଗରେ ସାମିଲ କରିବା ପାଇଁ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଓଡ, ଓଡ଼ ପାଇକ, ଓଡ ପାଇକା, ଝାଡୁଆ ଗୌଡ, ବୈଶ୍ୟ, ବାରାଇ, ବଣିଆ ଓଡ଼ିଶାରେ ପଛୁଆ ବର୍ଗ ଅର୍ଥାତ SCBC ତାଲିକାରେ ଥିବା ବେଳେ କେନ୍ଦ୍ରୀୟ ତାଲିକାରେ ସାଧାରଣ ବର୍ଗରେ ରହିଛନ୍ତି। ସେହିଭଳି ଓଡ଼ିଶାର ଯେଉଁ ଜାତି ପଛୁଆ ବର୍ଗରେ ଅଛନ୍ତି ସେମାନେ କିଭଳି କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ହେବେ ସେଥିପାଇଁ ଦାବି କରିଛନ୍ତି ବିଭିନ୍ନ ଜାତି ବର୍ଗର ପ୍ରତିନିଧି ।ଅଭିଯୋଗ ଶୁଣିବା ପରେ OBC କମିଶନ ଅଧକ୍ଷ ହଂସରାଜ ଗଙ୍ଗାରାମ ଅହୀର କହିଛନ୍ତି ଓଡ଼ିଶାର ଯେଉଁ ଜାତି କେନ୍ଦ୍ରୀୟ ପଛୁଆ ବର୍ଗରେ ସାମିଲ ହୋଇ ନାହାନ୍ତି, ସେମାନେ କିଭଳି ପଛୁଆ ବର୍ଗରେ ସାମିଲ ହେବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଏମାନଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ତେଣୁ ଯଥାଶିଘ୍ର ଏହା କରିବା ପାଇଁ ଉଦ୍ୟମ କରାଯିବ । ଏହାକୁ ନେଇ ରାଜ୍ୟ ସରକାର ଯେଉଁ ରିପୋର୍ଟ ଦେବେ ତା ଉପରେ ମଧ୍ୟ ବିଚାର କରାଯିବ ବୋଲି କହିଛନ୍ତି OBC କମିଶନ ଅଧକ୍ଷ ।OBC କମିଶନ ଅଧ୍ୟକ୍ଷଙ୍କ ନିକଟରେ ଓଡିଶା ପଛୁଆ ବର୍ଗ ଯୁବ ଓ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ମଧ୍ୟ ବିଭିନ୍ନ ଦାବି କରାଯାଇଛି , ଦାବିଗୁଡିକ ମଧ୍ୟରେ ରହିଛି ଜାତିଭିତ୍ତିକ ଜନଗଣନା, ସରକାରୀ ଓ ବେସରକାରୀ ଉଦ୍ୟୋଗ ଗୁଡିକରେ ନିଯୁକ୍ତି କ୍ଷେତ୍ରରେ ସମାନତା, କ୍ରିମି ଲେୟାର ବାଦଦେବା, ଓବିସି – ଏସଇବିସିମାନଙ୍କ ପାଇଁ ସ॰ରକ୍ଷଣ ୫୦% ରୁ ହଟାଇ ୫୨% ପ୍ରତିଶତ କରିବା, କେନ୍ଦ୍ର ଓ ରାଜ୍ୟ ବଜେଟରେ ଓବିସି – ଏସଇବିସିମାନଙ୍କ କଲ୍ୟାଣ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା ଇତ୍ୟାଦି ।ଓଡ଼ିଶାରେ ଜନସଂଖ୍ୟାରୁ ୫୦ ପ୍ରତିଶତ ଅଧିକ ପଛୁଆ ବର୍ଗ। ଏପରି ସମୟରେ ପଛୁଆ ବର୍ଗ ନ୍ୟାୟ ପାଇଁ ରାଜନୈତିକ ଦଳ ଗୁଡିକ ଲଢେ଼ଇ କରି ଆସୁଛନ୍ତି।














