ଗୁଜୁରାଟର ରାଜଧାନୀ ଗାନ୍ଧୀନଗରରେ ବହୁ ସଂଖ୍ୟରେ ଟାଇଫଏଡ୍ ମାମଲା ରିପୋର୍ଟ ହୋଇଛି ଓ ଛୋଟ ପିଲାମାନଙ୍କ ସମେତ ୧୦୪ ଜଣ ରୋଗୀଙ୍କୁ ଏହି ସନ୍ଦିଗ୍ଧ ରୋଗରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଶନିବାର ଗାନ୍ଧୀନଗର ସିଭିଲ୍ ହସ୍ପିଟାଲରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଅଧିକାରୀମାନେ ଗତ ତିନି ଦିନ ମଧ୍ୟରେ ସିଭିଲ୍ ହସ୍ପିଟାଲରେ ଟାଇଫଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୧୦୪ ଜଣ ରୋଗୀଙ୍କୁ ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି । ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ହସ୍ପିଟାଲର ପରିସ୍ଥିତି ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭର୍ତ୍ତି ହୋଇଥିବା ରୋଗୀଙ୍କ ପରିବାର ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା ମଧ୍ୟ କରାଯାଇଛି। ରୋଗୀଙ୍କ ଚିକିତ୍ସା ପାଇଁ ୨୨ ଜଣ ଡାକ୍ତରଙ୍କ ଏକ ଦଳ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଫୋନରେ ତିନିଥର ପରିସ୍ଥିତି ବିଷୟରେ ଆଲୋଚନା କରିସାରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୦୪ ଜଣ ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି। ପ୍ରଶାସନ ଚିକିତ୍ସା ଏବଂ ତଦାରଖ ବ୍ୟବସ୍ଥାକୁ ନିରନ୍ତର ମଜବୁତ କରୁଛି। ରୋଗୀ ଏବଂ ସେମାନଙ୍କ ପରିବାରକୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ପ୍ରୟାସ ଜାରି ରହିଛି।ଅଧିକାରୀମାନେ କହିଛନ୍ତି ଯେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନର ସ୍ୱାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛି। ଲୋକମାନଙ୍କୁ ଫୁଟା ପାଣି ପିଇବା ଏବଂ ଘରେ ରନ୍ଧା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି।














