ରାଜଧାନୀର ବ୍ୟବସାୟୀ ରାମରୂପ ଅଗ୍ରଓ୍ୱାଲଙ୍କ ପୁଅ ଇଶାନ ଅଗ୍ରଓ୍ୱାଲ ଅପହରଣର 36 ଘଣ୍ଟା ପରେ ଉଦ୍ଧାର କରିଛି କମିଶନରେଟ ପୋଲିସ । ସିନେମା ଷ୍ଟାଇଲରେ ଇଶାନଙ୍କୁ ଦୁର୍ବୃତ୍ତମାନେ ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରିନେବା ପରେ ଫୋନ କରି ଇଶାନଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ । ଏ ସଂପର୍କରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଏତଲା ପରେ କମିଶନରେଟ ପୋଲିସ ଆରମ୍ଭ କରିଥିଲା ଅପରେସନ । ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା କମିଶନରେଟ ପୋଲିସ । ମାତ୍ର ଅପହରଣକାରୀମାନେ ପୋଲିସ ନିକଟରୁ ବଞ୍ଚିବା ପାଇଁ ତିନୋଟି ଟିମ୍ ତିଆରି କରିଥିଲେ । ତିନୋଟି ଯାକ ଟିମ୍ ପରସ୍ପର ଠାରୁ 20 ରୁ 30 କିଲୋମିଟର ବ୍ୟବଧାନରେ ରହି ପରସ୍ପର ଭିତରେ ଯୋଗସୂତ୍ର ରଖୁଥିଲେ । ଯେଉଁ ଅପହରଣକାରୀ ପାଖରେ ଇଶାନ ଥିଲା, ସେ ଫୋନ କରି ଅନ୍ୟ ଟିମ୍ ସାଙ୍ଗେ ସଂପର୍କ ରଖୁଥିଲା । ଅନ୍ୟ ଟିମ୍ ଇଶାନଙ୍କ ଘର ଲୋକଙ୍କୁ ଫୋନ କରି ଟଙ୍କା ମାଗୁଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅପହରଣକାରୀମାନେ ଘର ଲୋକଙ୍କୁ ଫୋନ କରିବା ପରେ ମୋବାଇଲ ସୁଇଚଅଫ୍ କରିବା ସହ ସ୍ଥାନ ପରିବର୍ତ୍ତନ କରୁଥିଲେ । ଫଳରେ ପୋଲିସକୁ ଟ୍ରାକିଂ କରିବା କଷ୍ଟକର ହୋଇପଡିଥିଲା । ପ୍ରାୟ 36 ଘଣ୍ଟା କାଳ ପୋଲିସ ଅପହରଣକାରୀଙ୍କୁ ପିଚ୍ଛା କରିବା ଭିତରେ 800 କିଲୋମିଟର ବୁଲିବାକୁ ପଡିଥିଲା । ଶେଷରେ ସୁନାଖଳାର ଏକ ଜଙ୍ଗଲ ଭିତରୁ ପୋଲିସ ଇଶାନଙ୍କୁ ଉଦ୍ଧାର କରିବା ସହ 4 ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here