ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ଅପରେସନ ସିନ୍ଦୂରକୁ ନେଇ ସେ କହିଛନ୍ତି, ଅପରେସନ ସିନ୍ଦୂର ତ କେବଳ ଏକ ଟ୍ରେଲର ଥିଲା, ଯାହାକି ମାତ୍ର ୮୮ ଘଣ୍ଟାରେ ସମାପ୍ତ ହୋଇଯାଇଥିଲା । ଆଗକୁ ପାକିସ୍ତାନ ଯଦି ଭୁଲ କରିବ, ତେବେ ସେଥିପାଇଁ ତାକୁ କଡ଼ା ଜବାବ ଦିଆଯିବ ।ସେନା ମୁଖ୍ୟ କହିଛନ୍ତି ଯେ ଅଗଷ୍ଟ ୫, ୨୦୧୯ ପରେ ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ରାଜନୈତିକ ସ୍ପଷ୍ଟତା ଆସିଛି ଏବଂ ଆତଙ୍କବାଦର ଯଥେଷ୍ଟ ହ୍ରାସ ଘଟିଛି।” ଏହି ସମୟରେ, LAC, ଭାରତ-ଚୀନ ସମ୍ପର୍କ ଏବଂ କୂଟନୀତି ଉପରେ କଥାବାର୍ତ୍ତା କରି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ସ୍ୱାଭାବିକତା ଆଣିବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ପରେ ଗତ ଅକ୍ଟୋବରଠାରୁ ଆମର ଭାରତ ଏବଂ ଚୀନ୍ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ସୋମବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ଚାଣକ୍ୟ ପ୍ରତିରକ୍ଷା ସଂଳାପ କାର୍ଯ୍ୟକ୍ରମରେ, ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଏକ ଦୃଢ଼ ଏବଂ ସିଧାସଳଖ ଚେତାବନୀ ଦେଇ କହିଥିଲେ, ଯେତେବେଳେ କୌଣସି ଦେଶ ପ୍ରାୟୋଜିତ ଆତଙ୍କବାଦକୁ ପ୍ରୋତ୍ସାହନ ଦିଏ, ତାହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଯାଏ। ଭାରତ ପ୍ରଗତିର କଥା କହିଥାଏ। ଯଦି କିଏ ଆମର ରାସ୍ତାରେ ବାଧା ସୃଷ୍ଟି କରେ, ତେବେ ଆମକୁ ତା’ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ସାଧାରଣ ଭାବେ କଥାବାର୍ତ୍ତା ଓ ଆତଙ୍କବାଦୀ ଏକ ସଙ୍ଗେ ଚାଲିପାରିବ ନାହିଁ। ଏକ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ଆମେ କହୁଛୁ, ସେଥିପାଇଁ ଆମେ ସହଯୋଗ କରିବୁ। ଯେଉଁମାନେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବେ, ଆମେ ସେମାନଙ୍କୁ କଡ଼ା ଜବାବ ଦେବୁ। ଆମେ ଭବିଷ୍ୟତର ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ। ସେନାମୁଖ୍ୟ ଏହା ମଧ୍ୟ କହିଛନ୍ତି, “କେହି କହିପାରିବେ ନାହିଁ ଯେ ଏକ ଯୁଦ୍ଧ କେତେ ଦିନ ଚାଲିବ, ତେଣୁ ଆମକୁ ଦୀର୍ଘକାଳୀନ ଯୋଗାଣ ସୁନିଶ୍ଚିତ କରିବାକୁ ପଡିବ।” ସେ କହିଛନ୍ତି ଯେ ବର୍ତମାନ ସମୟରେ ଯୁଦ୍ଧ କେବଳ ସ୍ଥଳଭାଗରେ ନୁହେଁ ବରଂ ଏକକାଳୀନ ଅନେକ କ୍ଷେତ୍ରରେ – ସ୍ଥଳଭାଗ, ବାୟୁମଣ୍ଡଳ, ସମୁଦ୍ର, ସାଇବର ଏବଂ ମହାକାଶରେ ଲଢ଼ାଯାଉଛି।

LEAVE A REPLY

Please enter your comment!
Please enter your name here