ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ୩ ତାରିଖ ଦିନ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟରରେ ହେଲିପ୍ୟାଡରେ ଅବତରଣ କରି ସିଧାସଳଖ ଲୋକଭବନ ଅଭିମୁଖେ ଯିବେ ଏବଂ ସେଠାରେ ରାତ୍ର ଯାପନ କରିବେ, ୪ ତାରିଖରେ ରାଷ୍ଟ୍ରପତି ସକାଳ ୭ଟାରେ ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ପିଣ୍ଡଦାନ କରିବା ପରେ ସକାଳ ୭ଟା ୪୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ସମ୍ପୂର୍ଣ୍ଣ ପୁରୀ ସହରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ-ବୁକ୍ ସୁରକ୍ଷା ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି ପ୍ରତୀକ କହିଛନ୍ତି ,ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୋଟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସହରର ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ ଓ ଏଣ୍ଟି ଡ୍ରୋନ୍ ୟୁନିଟ୍,ସ୍ଵତନ୍ତ୍ର ୟୁନିଟ , ଏଣ୍ଟି ସାବଟୋବେଜ୍ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ ହେବା ସହ ସହରରେ ରାତ୍ରି କାଳୀନ ନାକାବନ୍ଦୀକୁ କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ହୋଟେଲ ଓ ଲଜ୍ ଚେକିଂ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ରୁଟ୍ ରେ ସାଧାରଣ ଯାତାୟାତ ବନ୍ଦ ରହିବ । ପୁରୀ ଗସ୍ତକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଖିବାପାଇଁ ବ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।














