ବିଜେଡିକୁ ଲାଗିଲା ଝଟକା,ପୁଣି ବିଜେଡି ଦଳର ବରିଷ୍ଠ ନାଗରିକ ସେଲର ଉପସଭାପତି ପଦ ଛାଡିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନିଜ ଅସନ୍ତୋଷ ଝାଡିବା ସହ ଦଳର ଗୁମର ଖୋଲିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଏ ସମ୍ପର୍କରେ ଜଣାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖିଛନ୍ତି । ସେ କହିଛନ୍ତି, ‘ନବୀନଙ୍କୁ ଦେଖା କରିବାକୁ ଅନେକ ଥର ଚେଷ୍ଟା କରି ମଧ୍ୟ ଦେଖା କରିପାରି ନଥିଲି । ଦଳରେ ଯେଉଁ ପଦ ମିଳିଥିଲା ସେ ନେଇ ନବୀନ ବାବୁଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲି । ପ୍ରଥମେ କହିଥିଲେ ନବୀନ ବାବୁ ଅସୁସ୍ଥ ଅଛନ୍ତି। ସୁସ୍ଥ ହୋଇ ଫେରି ନୂଆପଡା ଉପ ନିର୍ବାଚନରେ ପ୍ରଚାର କରିଥିଲେ , ନବୀନ ନିବାସରେ ମୋତେ ବ୍ଲକ କରିଦିଆ ଯାଇଥିଲା। ବରିଷ୍ଠ ନାଗରିକ ସେଲର ଭାଇସ ପ୍ରେସିଡେଣ୍ଟ ପଦବୀକୁ ନେଇ ଅସନ୍ତୁଷ୍ଟ ଥିଲେ ଦେବାଶିଷ । ସେ କହିଛନ୍ତି, ମୋତେ ତାତ୍ସଲ୍ୟ କଲାଭଳି ଏହି ପଦବୀ ଦିଆଯାଇଥିଲା । ବିଜେଡିରେ ସିନିଅର ନେତାଙ୍କୁ ଅଣଦେଖା କରାଯାଇଛି, ବିଜେଡି ଦଳ ବ୍ୟୁରକ୍ରାଟିକ ଦଳ ହୋଇଗଲାଣି। ବିଜୁ ବାବୁ କିମ୍ବା ନବୀନଙ୍କ ଆଦର୍ଶରେ ଦଳ ଆଉ ଚାଲୁନାହିଁ। ତେବେ ଯେ ପର୍ଯ୍ୟନ୍ତ ନବୀନ ବାବୁ ଦଳକୁ ପରିଚାଳନା କରିବେ ସେ ପର୍ଯ୍ୟନ୍ତ ମୁଁ ବିଜେଡିରେ ରହିବି ବୋଲି କହିଛନ୍ତି ଦେବାଶିଷ । ବିଜୁ ଲିଗାସିରେ ଥିବା ନେତାଙ୍କ ଅବସ୍ଥା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଠି ପୁରୁଣା, ବରିଷ୍ଠ ତଥା ପ୍ରତିଷ୍ଠାତା ମେମ୍ବରଙ୍କ ସ୍ଥିତି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଦେବାଶୀଷ ।ଦେବାଶିଷ କହିଛନ୍ତି ଯେ ନୂଆପଡା ଉପନିର୍ବାଚନ ପରେ ଦଳକୁ ପୁନର୍ଗଠନ କରିବା ଦରକାର ଥିଲା। ତାଙ୍କ ମତରେ ପ୍ରାର୍ଥୀ ଚୟନ ମଧ୍ୟ ଠିକ ହୋଇନଥିଲା। ସେ ଏହାକୁ ନେଇ ମଧ୍ୟ କହିଛନ୍ତି ଯେ ପ୍ରାର୍ଥୀଙ୍କୁ ନବୀନ ନିଜେ ଚୟନ କରିଥିଲେ କି ନାହିଁ ।














