ଭୁବନେଶ୍ୱରରେ ଆଜି ଉଦଘାଟିତ ହେଲା’ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ’ ଶିବିର। ଆଇନ ଓ ଶୃଙ୍ଖଳା ପୋଲିସ ଏଡିଜି ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଦେବଦତ୍ତା ସୁରଞ୍ଜିତା ଜେନା, ଏସପି ୟୁ.ଏସ୍. ମିଶ୍ର, ବିମାନ ଚଳାଚଳ ପରାମର୍ଶଦାତା ସୁରେଶ ଚନ୍ଦ୍ର ହୋତା ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏଥିରେ ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତ୍କେଲା ବିମାନବନ୍ଦରରୁ ମୋଟ ୪୦ ଜଣ ପୋଲିସ ସୁରକ୍ଷା କର୍ମୀ ପ୍ରଶିକ୍ଷଣ ନେବେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣର ବିଭିନ୍ନ ବୈଷୟିକ ଦିଗ ବିଷୟରେ ଅବଗତ କରାଇଥିଲେ,ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ବାକ୍ସଲା । ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାର ସହ ପ୍ରଶିକ୍ଷଣ ନେଇ ସମଗ୍ର ଦେଶରେ ଏକ ଆଦର୍ଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି ।













