ରାଜ୍ୟରେ ଏବେ ପ୍ରାୟ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି । ଏ ନେଇ ବିଧାନସଭାରେ ବିଜେଡ଼ି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ମାଓବାଦୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କନ୍ଧମାଳ ଜିଲ୍ଲାକୁ ଅଦର୍ ଏଡବ୍ଲ୍ୟୁଇ ଆଫେକ୍ଟେଡ୍ ଡିଷ୍ଟ୍ରିକ୍ଟ ବର୍ଗରେ ରଖାଯାଇଛି । ଅନ୍ୟ ଆଠଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନୂଆପଡ଼, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାକୁ ଲିଗାସୀ ଆଣ୍ଡ୍ ଥ୍ରଷ୍ଟ ଜିଲ୍ଲା ବର୍ଗରେ ରଖାଯାଇଅଛି । ରାଜ୍ୟରେ ଏବେ ୪୦ ଜଣ ସକ୍ରିୟ ମାଓବାଦୀ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୫ ବର୍ଷରେ ସମୁଦାୟ ୪୮ ଜଣ ମାଓବାଦୀ ନିହତ ହେବା ସହ ଓ ୭୮ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ୮୨ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । କନ୍ଧମାଳ ଏଡିଜି ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ କନ୍ଧମାଳ ଜିଲ୍ଲାରେ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି। ଜିଲ୍ଲାର ରାଇକିଆ, ଦାରିଙ୍ଗବାଡ଼ି, କୋଟପାଡ଼ ଅଞ୍ଚଳରେ ଲାଲବାହିନୀ ସକ୍ରିୟ ଅଛନ୍ତି । ମାଓ ନେତା ଶୁକ୍ରୁ ଏହାର ନେତୃତ୍ଵ ନେଉଛନ୍ତି । ହିଂସାର ପଥ ଛାଡ଼ି ଆତ୍ମସମର୍ପଣ ପାଇଁ ଏଡିଜି ପୁଣି ଥରେ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here