ଜାଭେଲିନ ଥ୍ରୋ ତାରକା ଓ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏବେ ହେଲେ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନଜନକ ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ସମୟରେ ନୀରଜଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି ସମୟରେ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ନୀରଜଙ୍କ କାନ୍ଧରେ ବ୍ୟାଚ୍ ପିନ୍ଧାଇ ସମ୍ମାନିତ କରିଥିଲେ । ଭାରତର ରାଜପତ୍ର ଅନୁସାରେ, ଏହି ନିଯୁକ୍ତି ଏପ୍ରିଲ ୧୬ରୁ ଲାଗୁ ହୋଇଛି । ନୀରଜ ୨୦୧୬ ଅଗଷ୍ଟ ୨୬ରେ ନାଏବ ସୁବେଦାର ପଦରେ ଜୁନିୟର କମିସଣ୍ଡ ଅଧିକାରୀ ଭାବେ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ । ଏହାର ଦୁଇ ବର୍ଷ ପରେ ଆଥଲେଟିକ୍ସରେ ତାଙ୍କର ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ପୁଣି ୨୦୨୧ରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ନୀରଜ ଚୋପ୍ରାଙ୍କୁ ୨୦୨୧ ମସିହାରେ ଭାରତୀୟ ସେନାରେ ସୁବେଦାର ପଦବୀ ଦିଆଯାଇଥିଲା। ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିବା ପରେ, ସେ ୨୦୨୨ ମସିହାରେ ପରମ ବିଶେଷ ସେବା ପଦକରେ ସମ୍ମାନିତ ହୋଇଥିଲେ। ସେହି ବର୍ଷ ତାଙ୍କୁ ସୁବେଦାର ମେଜର ପଦବୀକୁ ଉନ୍ନୀତ କରାଯାଇଥିଲା ଏବଂ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।













