ଲାଞ୍ଚ ନେବା ବେଳେ ୨ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା ସବ-ଡିଭିଜନର ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନର ଦୁଇଜଣ ଯନ୍ତ୍ରୀ ଜଣେ ଠିକାଦାରଙ୍କଠାରୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି। ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।ଠିକାଦାରଙ୍କ ଠାରୁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁହେଁ ଗିରଫ ହୋଇଛନ୍ତି। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍କୁ ଜବତ ହୋଇଛି। ଏହାପରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ହରେକୃଷ୍ଣ ସିଂହଙ୍କ ୨ଟି ସ୍ଥାନ ଏବଂ ସୁବ୍ରତ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି।ସୂଚନା ଅନୁଯାୟୀ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍ ଏବଂ ସିକୁୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ୍ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ମଧ୍ୟରେ ଏଇଇଙ୍କ ୧.୫% ହିସାବରେ ୩୨ ହଜାର ଏବଂ ଜେଇଙ୍କ ୩% ହିସାବରେ ୨୮ହଜାର ରହିଥିଲା। ମୋଟ୍ ୬୦,୦୦୦ହଜାର ଟଙ୍କା ନ ଦେଲେ ବିଲ୍ ପାସ୍ ହେବ ନାହିଁ ବୋଲି ଠିକାଦାରଙ୍କୁ କହିଥିଲେ। ଏଥିରୁ ବିରକ୍ତ ହୋଇ ଠିକାଦାର ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଯାହା ଫଳରେ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।














