ଆଜି ୭୬ତମ ସମ୍ବିଧାନ ଦିବସ ପାଳୁଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନାଗରିକଙ୍କୁ ସେମାନଙ୍କର ସାମ୍ୱିଧାନିକ ମୌଳିକ କର୍ତ୍ତବ୍ୟ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ସେମାନେ ସୁଦୃଢ ଗଣତନ୍ତ୍ରର ମୂଳଦୂଆ ବୋଲି କହିଛନ୍ତି । ଦେଶର ସର୍ବୋଚ୍ଚ ବିଧି ‘ଭାରତୀୟ ସମ୍ବିଧାନ’ । ଯେଉଁଥିରେ ଲିପିବଦ୍ଧ ଦେଶର ସଂରଚନା, ଗଠନ, ନୀତିନିୟମ, କାର୍ଯ୍ୟଶୈଳୀ, କର୍ତ୍ତବ୍ୟ, ଅଧିକାର ଭଳି ସମସ୍ତ ବିଷୟବସ୍ତୁ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଗୃହିତ ହୋଇଥିଲା ‘ଭାରତୀୟ ସମ୍ବିଧାନ’ । ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୬ ରେ ପାଳନ ହେଉଛି ସମ୍ବିଧାନ ଦିବସ । ପ୍ରଧାନମନ୍ତ୍ରୀ ୧୯୪୯ରେ ସମ୍ୱିଧାନ ଗୃହିତ ହେବାର ଐତିହାସିକ ଦିନକୁ ମନେ ପକାଇଛନ୍ତି, ରାଷ୍ଟ୍ରର ପ୍ରଗତିକୁ ମାର୍ଗଦର୍ଶନ କରିବାରେ ସମ୍ବିଧାନର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଛନ୍ତି । ଅଗଣିତ ନାଗରିକଙ୍କୁ ସ୍ୱପ୍ନ ଦେଖିବାର ଶକ୍ତି ଓ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବାର ଶକ୍ତି ସମ୍ବିଧାନ ଦେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୨୦୪୯ ନଭେମ୍ବର ୧୯ ତାରିଖ ଦିନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ନାଗରିକମାନଙ୍କ ମଧ୍ୟରେ ସାମ୍ବିିଧାନିକ ମୂଲ୍ୟବୋଧର ପ୍ରଚାର କରିବା ନିମନ୍ତେ ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ସାମ୍ବିଧାନ ଦିବସ ପାଳନ କରିବା ନେଇ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଚିଠିରେ ମହାତ୍ମା ଗାନ୍ଧୀଙ୍କ ନୀତିକୁ ମନେ ପକାଇ ଲେଖିଛନ୍ତି,”ଅଧିକାର କର୍ତ୍ତବ୍ୟ ପାଳନରୁ ହୋଇଥାଏ ଓ କର୍ତ୍ତବ୍ୟ ପାଳନ ସାମାଜିକ ଏବଂ ଆର୍ଥିକ ପ୍ରଗତିର ମୂଳଦୁଆ । ଆଜି ନିଆଯାଇଥିବା ନୀତି ଓ ନିଷ୍ପତ୍ତି ଆଗାମୀ ପିଢିର ଜୀବନକୁ ଗଢି ତୋଳିବ । ଭାରତ ବିକଶିତ ଆଡକୁ ଅଗ୍ରସର ହେଉଥିବା ବେଳେ, ନାଗରିକମାନେ ସେମାନଙ୍କର କର୍ତ୍ତବ୍ୟକୁ ସର୍ବୋପରି ରଖନ୍ତୁ ।” ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,” ଆମ ସମ୍ବିଧାନ ମାନବିକ ମର୍ଯ୍ୟାଦା, ସମାନତା ଏବଂ ସ୍ୱାଧୀନତାକୁ ସବୁଠୁ ଅଧିକ ଗୁରୁତ୍ୱ ଦେଇଥାଏ । ଏହା ଆମକୁ ଅଧିକାର ସହିତ ସଶକ୍ତ କରୁଥିବା ବେଳେ, ଏହା ଆମକୁ ନାଗରିକ ଭାବରେ ଆମର କର୍ତ୍ତବ୍ୟଗୁଡିକୁ ମଧ୍ୟ ମନେ ପକାଇଦିଏ । ଯାହାକୁ ସବୁବେଳେ ପୂରଣ କରିବା ଉଚିତ୍ । ଏହି କର୍ତ୍ତବ୍ୟଗୁଡିକ ଏକ ସୁଦୃଢ ଗଣତନ୍ତ୍ରର ମୂଳଦୂଆ ।” ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ସମ୍ବିଧାନ ଦିବସ ନେଇ ପୋଷ୍ଟ କରି ଲେଖିଛନ୍ତି,” ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ପ୍ରତି କରାଯାଇଥିବା ଏକ ପବିତ୍ର ପ୍ରତିଜ୍ଞା । ପ୍ରତିଜ୍ଞା ହେଲା ଯେକୌଣସି ଧର୍ମ କିମ୍ୱା ଜାତି, ଯେକୌଣସି ଅଞ୍ଚଳ, ଯେକୌଣସି ଭାଷା, ଗରିବ କିମ୍ବା ଧନୀ ସମସ୍ତଙ୍କୁ ସମାନତା, ସମ୍ମାନ ଓ ନ୍ୟାୟ ମିଳିବ । ସମ୍ବିଧାନ ଗରିବ ଓ ବଞ୍ଚିତମାନଙ୍କର ସୁରକ୍ଷା କବଚ, ସେମାନଙ୍କର ଶକ୍ତି ଓ ପ୍ରତ୍ୟେକ ନାଗରିକଙ୍କ ସ୍ୱର । ଯେପର୍ଯ୍ୟନ୍ତ ସମ୍ବିଧାନ ସୁରକ୍ଷିତ ଅଛି ସେପର୍ଯ୍ୟନ୍ତ ଭାରତୀୟଙ୍କ ଅଧିକାର ସୁରକ୍ଷିତ । ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା ଆମେ ସମ୍ବିଧାନ ଉପରେ କୌଣସି ପ୍ରକାର ଆକ୍ରମଣ ହେବାକୁ ଦେବାନାହିଁ । ଏହାର ରକ୍ଷା କରିବା ମୋର କର୍ତ୍ତବ୍ୟ ଓ ଏହା ଉପରେ ହେଉଥିବା ପ୍ରତ୍ୟେକ ପ୍ରହାରର ସାମ୍ନା କରିବା ପାଇଁ ସର୍ବପ୍ରଥମେ ମୁଁ ଠିଆ ହୋଇ ରହିବି ।”














