ସାରାରାତି ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ. ସିବିଆଇକୁ ବିରୋଧ କରି ଏମିତି ପଦକ୍ଷେପ ନେଇଛନ୍ତି ମମତା. ଚିଟ୍ ଫଣ୍ଡ ମାମଲାରେ ପୋଲିସ କମିଶନର ରାଜୀବ କୁମାରଙ୍କୁ ପଚରା ଉଚୁରା ପାଇଁ ସିବିଆଇ ଟିମ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମମତାଙ୍କ ରାଜନୀତି. କେନ୍ଦ୍ର ବିଜେପି ସରକାର ସହ ବଳ କଷିବା ଆରମ୍ଭ କରିଦେଇଥିଲେ ଦିଦି. ପୋଲିସ କମିଶନରଙ୍କ ସୁରକ୍ଷା କର୍ମୀମାନେ ସିବିଆଇ ଅଧିକାରୀଙ୍କୁ ଭିତରକୁ ଛାଡି ନଥିଲେ. ପରେ ସେଠାରେ ପୋଲିସ ପହଞ୍ଚି ସିବିଆଇ ଅଧିକାରୀମାନଙ୍କୁ ଥାନାକୁ ନେଇ ଯାଇଥିଲା. କିଛି ସମୟ ପାଇଁ ପୋଲିସ ଓ ସିବିଆଇ ଅଧିକାରୀଙ୍ପକ ମଧ୍ୟରେ କସରତ ଚାଲିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା. ପରେ ଅବଶ୍ୟ ପୋଲିସ 5 ଜଣିଆ ସିବିଆଇ ଟିମକୁ ଅଟକ ରଖି ପରେ ଛାଡ଼ି ଦେଇଥିଲା. ଏମିତି ପରିସ୍ଥିତି ହୋଇଥିଲା ଯେ, ମମତା ସିଧା କମିଶନରଙ୍କ ଘରକୁ ଚାଲି ଆସିଥିଲେ. କମିଶନରଙ୍କ ଆବାସିକ କାର୍ଯ୍ୟାଳୟରେ ପରିସ୍ଥିତିର ସମୀକ୍ଷା କରିଥିଲେ ମମତା. ତା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଟ୍ରୋ ଷ୍ଟେସନ ସମ୍ମୁଖରେ ଧାରଣାରେ ବସିଥିଲେ. ତେବେ ମମତା ଧାରଣାରେ ବସିବା ପରେ ପୋଲିସ କମିଶନର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଏହାକୁ ଅନୁସରଣ କରି ତାଙ୍କୁ ସମର୍ଥନ କରିଛନ୍ତି. ସିବିଆଇ ପକ୍ଷରୁ ମମତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ଯାହାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯିବ ଏବଂ ଏନେଇ ମମତା ନିଜର ପକ୍ଷ ରଖିବେ. ସୂଚନାଯୋଗ୍ୟ ସିବିଆଇ ଚିଟଫଣ୍ଡ ମାମଲାରେ ପଶ୍ଚିମବଙ୍ଗ ପୋଲିସ କମିଶନରଙ୍କୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି. ଅନ୍ୟପକ୍ଷରେ ମମତା କେନ୍ଦ୍ର ସରକାର ସିବିଆଇର ଦୁରୁପଯୋଗ କରି ପଶ୍ଚିମବଙ୍ଗ ସରକାରକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି.