। ଓଁ।
ତ୍ବମେବ ମାତା ଚ ପିତା ତ୍ବମେବ,ତ୍ବମେବ ବନ୍ଧୁଶ୍ଚ ସଖା ତ୍ବମେବ
ତ୍ବମେବ ବିଦ୍ୟା ଦ୍ରବିଣଂ ତ୍ବମେବ,ତ୍ବମେବ ସର୍ବଂ ମମ ଦେବଦେବ
ତ୍ବମେବ ସର୍ବଂ ମମ ଗୁରୁଦେବ
ଓଁ ଶ୍ରୀଜଗନ୍ନାଥାୟ ବିଦ୍ମହେ ଭଗବତେ
ଧୀମହି ତନ୍ନୋ ଗୁରୁ ପ୍ରଚୋଦୟାତ୍
ଶ୍ରୀମଦ୍ଭଗବଦ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ସାକ୍ଷାତ ଭଗବାନଙ୍କର ଦିବ୍ୟବାଣୀ । ବାସ୍ତବରେ ଏହାର ମହିମା ପୂର୍ଣ୍ଣରୁପେ ବର୍ଣ୍ଣନା କରାଯାଇପାରିବ ନାହିଁ । ଯେଉଁ ବସ୍ତୁର ବର୍ଣ୍ଣନା କରାଯାଇପାରିବ, ତାହା ଅପରିମିତ ହୋଇ କିପରି ରହିବ । ଏହାର ଅନ୍ତର୍ନିହିତ ତଥ୍ୟ ଏପରି ଗୁଢ ଓ ଗମ୍ଭୀର ଯେ ଆଜୀବନ ନିରନ୍ତର ଅଭ୍ୟାସ କରିଚାଲିଲେ ମଧ୍ୟ ଏହାର ଅନ୍ତ ମିଳିପାରେ ନାହିଁ । ଶ୍ରୀମଦ୍ଭଗବଦ୍ ଗୀତା ଏପରି ଏକ ଅନୁପମ ଶାସ୍ତ୍ର ଯେ, ଏହାର ପ୍ରତିଟି ଶବ୍ଦ ଜୀବନ ପଥରେ ଚାଲିବା ପାଇଁ ପରମ ସଦୁପଦେଶ । ସର୍ବଶାସ୍ତ୍ରମୟୀ ଗୀତା ସ୍ବୟଂ ଭଗବାନଙ୍କ ମୁଖାରବିନ୍ଦରୁ ନିଃସୃତ ବାଣୀ । ଗୀତା ହିଁ ଭଲଭାବରେ ଶ୍ରବଣ, କୀର୍ତ୍ତନ, ପଠନ-ପାଠନ, ମନନ ସହିତ ଧାରଣ କରିପାରିଲେ , ଅନ୍ୟ ଶାସ୍ତ୍ରର ଆବଶ୍ୟକ ପଡିବ ନାହିଁ । ବାସ୍ତବରେ ଗୀତା ସମାନ ଯଜ୍ଞ, ଦାନ, ତପ, ତୀର୍ଥ, ବ୍ରତ, ସଂଯମ ଏବଂ ଉପବାସ ଆଦି କିଛି ମଧ୍ୟ ନାହିଁ । ଶ୍ରୀବ୍ୟାସଦେବ ଶ୍ରୀକୃଷ୍ଣଙ୍କ ମୁଖରୁ ନିଃସୃତ ବାଣୀକୁ ଅବିକଳ ସଂକଳନ କରି ତା ସହିତ ଅର୍ଜୁନ, ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଲୋକବଦ୍ଧ କରିଦେଇଛନ୍ତି ଏବଂ ସାତଶହ ଶ୍ଲୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତାଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ଶ୍ରୀମଦଭଗବତ୍ ଗୀତା ମହାନ୍ ଗ୍ରନ୍ଥ ଭାବରେ ତତ୍ତ୍ବଜ୍ଞାନ ତଥା ସତ୍ କର୍ମ ଜିଜ୍ଞାସୁ ପାଠକମାନଙ୍କୁ ଅର୍ପଣ କରିଛନ୍ତି ।
ଗୀତା ହେଉଛି ଜ୍ଞାନ ଓ ଅନନ୍ତ ଭାବର ଏକ ଅଗାଧ ସମୁଦ୍ର । ଗୋଟିଏ ସାଧାରଣ ପକ୍ଷୀ ଅନନ୍ତ ଆକାଶର ପରିସୀମା ନିର୍ଣ୍ଣୟ ପାଇଁ ପ୍ରଯତ୍ନ କରିବା ଯାହା, ଜଣେ ସାଧାରଣ ମନୁଷ୍ୟ ପକ୍ଷରେ ଅଗାଧ ରହସ୍ୟମୟୀ ଗୀତାର ଅନ୍ତର୍ନିହିତ ତାତ୍ପର୍ଯ୍ୟ ଓ ମହତ୍ତ୍ବ ନିର୍ଣ୍ଣୟ କରିବା ସେହିପରି ଅଟେ । ଗୀତାକୁ ଆମେ ସ୍ବୟଂ ଭଗବାନଙ୍କଠାରୁ ଶ୍ରେଷ୍ଠ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ରତ୍ନାକରର ଅଗାଧ ଅତଳ ଗର୍ଭରେ ବୁଡି ଅନୁସନ୍ଧାନ କଲେ ଯେପରି ରତ୍ନ ପ୍ରାପ୍ତି ହୁଏ ସେହିପରି ଏହି ଗୀତା ସାଗରରେ ନିମଜ୍ଜିତ ହେଲେ ହିଁ ଜିଜ୍ଞାସୁମାନଙ୍କୁ ନିତ୍ୟ ନୂତନ ଅପୂର୍ବ ଭାବରତ୍ନ ରାଶି ଉପଲବ୍ଧ ହୁଏ । ଭଗବତ୍ ପ୍ରାପ୍ତି ପାଇଁ ସମତ୍ବ ହିଁ କଷଟି । ଜ୍ଞାନ, କର୍ମ ଓ ଭକ୍ତି ଏହି ତିନୋଟି ଯାକ ମାର୍ଗରେ ସାଧନା ରୁପରେ ମଧ୍ୟ ସମନ୍ବୟର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । ସାଂସାରିକ କର୍ତ୍ତବ୍ୟକର୍ମ ବୁଝିଯାଇ ଆନନ୍ଦିତ ମନରେ କର୍ମକ୍ଷେତ୍ରରେ ଆଗେଇବା ପାଇଁ ଶ୍ରୀମଦ୍ଭଗବଦ୍ ଗୀତା ଏକ ଅଦ୍ବୈତ ଗ୍ରନ୍ଥ । ଗୀତାରେ ଭକ୍ତି , ଜ୍ଞାନ ଓ କର୍ମର ରହସ୍ୟ ଭଲଭାବରେ ଖୋଲି ଦିଆଯାଇଛି । ସଂସାରର ଅସଜଡା ପଥରେ ସୁଖଦୁଃଖର ଅବାରିତ ଢେଉରେ ମଣିଷଟି କେତେବେଳେ ହାରିଯାଏ ତ ପୁଣି କେତେବେଳେ ନିଜର ଆତ୍ମବିଶ୍ବାସ ଓ ଦିବ୍ୟ ଶକ୍ତିର ଭରସାରେ ସଳଖି ହୋଇ ବାଟ ଚାଲିଥାଏ । ଜୀବନ ଯୁଦ୍ଧକ୍ଷେତ୍ରରେ ଶ୍ରୀମଦଭଗବଦ୍ ଗୀତାର ଅମୃତ ବାଣୀକୁ ପଠନ ଚିନ୍ତନ ମନନ ସହିତ ବୁଝିନେଲେ ସବୁକିଛି ସରଳ ସହଜ ହୋଇଯିବ । ନିଜର କର୍ମଗୁଡିକ ସୁଧାରି ନେଲେ ଆଗକୁ ଯିବା ରାସ୍ତା ସୁଗମ ହୋଇଯିବ । ଶ୍ରୀମଦ୍ଭଗବଦ୍ ଗୀତା ଗ୍ରନ୍ଥରୁ କିଛି ଲେଖିବା ପାଇଁ ମୋର ଇଷ୍ଟ ପରମଧ୍ୟେୟ ଶ୍ରୀଜଗନ୍ନାଥଙ୍କ କୃପାପ୍ରାର୍ଥୀ ଭାବେ ଚେଷ୍ଟା କରୁଛି ମାତ୍ର ।
ଗୀତା ସୁଗୀତା କର୍ତ୍ତବ୍ୟା କିମନ୍ୟୈଃ ଶାସ୍ତ୍ରସଂଗ୍ରହୈଃ
ଯା ସ୍ବୟଂ ପଦ୍ମନାଭସ୍ୟ ମୁଖପଦ୍ମାଦ୍ ବିନିଃସୃତା ।
( ମହାଭାରତ/ ଭୀଷ୍ମ – 43/1 )
ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍ ।
ଓଁ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ
ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ









