ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଟ୍ରେନ । ରବିବାର ୬ଟି ଜିଲ୍ଲାର ପ୍ରାୟ ୮୫୦ ତୀର୍ଥଯାତ୍ରୀ ତିରୁପତି,ଭେଲୁର ଓ ଶ୍ରୀକାଲାହସ୍ତୀ ଦର୍ଶନ କରିବା ପାଇଁ ଯାଇଛନ୍ତି. ଆସନ୍ତା ୧୦ ତାରିଖ ଦିନ ନିଜ ନିଜ ଜିଲ୍ଲାକୁ ଫେରିବେ । ଏଥିପାଇଁ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆନନ୍ଦ ଓ ଉଲ୍ଲାସ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ପରିବହନ ବିଭାଗ ସହଯୋଗରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତୀର୍ଥଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର୧୨୦୦ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇଛନ୍ତି । ରାୟଗଡା ଜିଲ୍ଲାରେ ୨୮୭ ଜଣ ଯାତ୍ରୀଙ୍କ ସମେତ କୋରାପୁଟର ୧୧୬, କଳାହାଣ୍ଡି୧୧୯, ନବରଙ୍ଗପୁର ୧୨୯, ମାଲକାନାଗିରି ୫୦ ଓ ନୂଆପଡା ଜିଲ୍ଲାର ୬୮ ଜଣ ତୀର୍ଥଯାତ୍ରୀ ତୀର୍ଥ ଭ୍ରମଣରେ ଯାଇଥିବା ବେଳେ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏପରି ଯୋଜନାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।