ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ଅନେକ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ମନ୍ତ୍ରୀ ରମେଶ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ସାଂସଦ ବଳଭଦ୍ର ମାଝୀ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ନବରଙ୍ଗପୁର ଓ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉମରକୋଟ ଓ ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ଦଳ ତରଫରୁ ନବରଙ୍ଗପୁର ବିଧାନସଭା ଆସନ ପାଇଁ ସଦାଶିବ ପ୍ରଧାନୀ, ଡାବୁଗାଁ ପାଇଁ ମନୋହର ରନ୍ଧାରୀ, ଉମରକୋଟ ପାଇଁ ସୁବାସ ଗଣ୍ଡ ଓ ଝରୀଗାଁ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରକାଶ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପି ପକ୍ଷରୁ ନବରଙ୍ଗପୁର ବିଧାନସଭା ଆସନ ପାଇଁ ଗୌରୀ ମାଝୀ, ଡାବୁଗାଁ ପାଇଁ ପଦ୍ମନ ନାୟକ, ଉମରକୋଟ ପାଇଁ ନିତ୍ୟାନନ୍ଦ ଗଣ୍ଡ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଉମରକୋଟ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ଯଶୋଦା ରାଣୀ ଗଣ୍ଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।