ନିଖୋଜକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିମାନ ଏଏନ-୩୨ ଏବଂ ଓଡିଆ ପୁଅ ସୁୀନତର କୌଣସି ପତ୍ତା ମିଳିନି । ପୁଅ ଖବର ଶୁଣି କାନ୍ଦୁଛି ମା, କାନ୍ଦୁଛନ୍ତି ପରିଜନ । ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ସୁନୀତ ତାଙ୍କ ନିର୍ବାଚନମଣ୍ଡଳୀର ପୁଅ। ସେ ନିଖୋଜ ହେବା ଘଟଣା ଜାଣିବା ପରେ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏଣୁ ସୁନୀତଙ୍କୁ ଉଦ୍ଧାର କରିବାକୁ ଅନୁରୋଧ। ତେବେ ନିଖୋଜ ଥିବା ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ବଲିଆପଲ୍ଲୀରେ। ସେ ଆସାମ ଜୋରହାଟରେ କାର୍ଯ୍ୟରତ ଥିଲେ। ଗତ ତିନି ତାରିଖରେ ଏଏ-୩୨ ବିମାନ ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା। ଅରୁଣାଚଳର ମେନଚୁକା ଏୟାର ଫିଲ୍ଡରେ ଅବତରଣ କରିବା ପୂର୍ବରୁ ଏହା ନିଖୋଜ ହୋଇଯାଇଥିଲା। ଅନ୍ୟପକ୍ଷରେ ଗତକାଲି ବାୟୁସେନା ମୁଖ୍ୟ ବିଏସ ଧନଓ୍ୱା ସର୍ଚ୍ଚ ଅପରେସନର ସମୀକ୍ଷା କରିଛନ୍ତି। ଜୋରହାଟ୍ ଯାଇ ସେ ରେସ୍କ୍ୟୁ ଅପରେସନ୍ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବିମାନକୁ ଠାବ କରିବା ଲାଗି ଏବେ ବାୟୁସେନା ଓ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ସାଟେଲାଇଟର ବି ସାହାଯ୍ୟ ନିଆଯାଉଛି।













