ଖାଲି ମଣିଷ ନୁହେଁ, ସ୍ନେହ, ମମତାରେ ସମସ୍ତେ ବନ୍ଧା । ଭଲ ପାଇବା ଟିକେ ପାଇବା ପାଇଁ ସମସ୍ତେ ବ୍ୟାକୁଳ । ଦେଖୁନାହାନ୍ତି, କେମିତି ଜଣେ ମଣିଷର ଡାକଶୁଣି ମାଙ୍କଡମାନେ ଡେଇଁଡାଇଁ ତା ପାଖକୁ ଚାଲି ଆସୁଛନ୍ତି । ଏ ଗରିବ ଲୋକ ପାଖରେ ଏମିତି କି ଯାଦୁ ଅଛିକି ମାଙ୍କଡମାନେ ତା ପାଖକୁ ଚାଲି ଆସୁଛନ୍ତି । ଏ ବାବୁ ହେଲେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗାଁର କୃପାସିନ୍ଧୁ ମାଟି । ବୟସ ୬୦ ଛୁଇଁଲାଣି । ବେଉସା କହିଲେ,ଗାଁ କୁ ଗାଁବୁଲି ଖଟା,ବାରମଜା, ପାମ୍ପଡ ଆଦି ବିକ୍ରି କରନ୍ତି । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ନିଜର ପରିବାର ପ୍ରତିପୋଷଣ କରନ୍ତି । ତାଭିତରେ ଗୋଟିଏ କି ଦୁଇଟି ନୁହେଁ, ପ୍ରତିଦିନ କୃପାସିନ୍ଧୁଙ୍କ ହାତରୁ କିଛି ନା କିଛି ଖାଇବା ପାଇଁ ଏ ମାଙ୍କଡ ଦଳ ତାଙ୍କ ଦୁଆରେ ହାଜର ହୋଇଯାନ୍ତି । କୃପାସିନ୍ଧୁଙ୍କ କହିବା ଅନୁଯାୟୀ ୧୯୮୨ ମସିହାରେତାଙ୍କ ଘର ପାଖରେ ବୁଲୁଥିବା ଗୋଟିଏ ମାଙ୍କଡକୁ ସେ ଖାଇବାକୁ ଦେଉଥିଲେ । ସେବେଠାରୁ ପ୍ରତିଦିନ ତାଙ୍କ ଦୁଆରକୁ ମାଙ୍କଡଙ୍କ ଆସିବା ସଂଖ୍ୟା ବଢିଚାଲିଛି । ଆଉ ମାଙ୍କଡଙ୍କ ସହ କୃପାସିନ୍ଧୁ ଓ ତାଙ୍କ ପରିବାରର ଆତ୍ମୀୟତା ଏତେ ବଢିଗଲାଣି ଯେ, ମାଙ୍କଡଙ୍କୁ ଖାଇବାକୁ ନଦେଲେ ତାଙ୍କୁ ଭଲ ଲାଗେନି । ଯେଉଁଦିନ ମାଙ୍କଡମାନେ ତାଙ୍କ ଘରକୁ ନଆସନ୍ତି,ଗାଁ ଦାଣ୍ଡରେ ଡାକମାରନ୍ତି କୃପାସିନ୍ଧୁ । ମାଙ୍କଡମାନଙ୍କ ସହ କେବଳ କୃପାସିନ୍ଧୁ ନୁହଁନ୍ତି, ତାଙ୍କ ପୁରା ପରିବାରର ଅଦ୍ଭୁତ ସଂପର୍କ । କୃପାସିନ୍ଧୁଙ୍କ ପିଲାମାନେ ବିନା ଦ୍ୱିଧାରେ ମାଙ୍କଡ ମାନଙ୍କୁ ଖାଇବାକୁ ଦିଅନ୍ତି । ମାଙ୍କଡମାନେ କୃପାସିନ୍ଧୁଙ୍କ ହାତରୁ ମୁଢି, ବାଦାମ, ଆଚାର ଖାଆନ୍ତି । ଏମିତିକି କୃପାସିନ୍ଧୁଙ୍କ ଛୋଟ ନାତି ବି ବିନା ଭୟରେ ମାଙ୍କଡଙ୍କୁ ଖାଇବାକୁ ଦେଇ ମଜା ନିଏ । କୃପାସିନ୍ଧୁଙ୍କ ମୁଢି ବାଦାମରେ ମାଙ୍କଡଙ୍କ ପେଟ ତ ପୁରେନି, କିନ୍ତୁ ତାଙ୍କ ଭଲ ପାଇବାରେ ଏ ମାଙ୍କଡ ଦଳଙ୍କ ପେଟ ପୁରିଯାଏ ।