ଶେଷ ହେଲା ଘମାଘୋଟ ପ୍ରଚାର । ବିଜେପୁର ଭୋଟରଙ୍କୁ ମନେଇବା ପାଇଁ ଶେଷ ମୁହୂର୍ତ୍ତ ଯାଏଁ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିଲା ପ୍ରଚାର ଯୁଦ୍ଧ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତାଇବା ପାଇଁ ସରକାରୀ ଦଳର ପୁରା ଟିମ୍ ଡେରା ପକାଇଥିଲେ ବିଜେପୁରରେ । ପ୍ରଚାର ଶେଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ କରି ବିଜେପୁରବାସୀଙ୍କ ମନରେ ଜୋସ୍ ଭରିବାକୁ ଚେଷ୍ଟା କରିଥିଲା ବିଜେଡି । ତେବେ ଗତ ନିର୍ବାଚନ ତୁଳନାରେ ବିଜେଡି କେମିତି ଅଧିକ ଭୋଟ ପାଇବ, ସେଥିପାଇଁ ତିଆରି ହୋଇଥିଲା ପ୍ରଚାର କୌଶଳ । ବିଜେପୁର, ବରପାଲି ଓ ଗାଇସିଲଟ ପାଇଁ ଦଳର ବରିଷ୍ଠ ମନ୍ତ୍ରୀ ଓ ନେତାଙ୍କୁ ଦାୟିତ୍ୱ ଦଳ ଦାୟିତ୍ୱ ଦେଇଛି । ପ୍ରଚାର ଦୃଷ୍ଟିରୁ ବିଜେଡି ଆଗରେ ରହିଛି । ବିଜେଡିକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ବିଜେପି । କୌଣସିମତେ ବିଜେଡି ହାତରୁ ବିଜେପୁର ଆସନ ଛଡାଇ ନେବାକୁ ରଣନୀତି ତିଆରି କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପ୍ରଚାରକୁ ଜୋରଦାର୍ କରିଛି । ଗତଥର ନବୀନଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିବା ସନତ ଗଡତିଆ ୫୩ ହଜାର ଭୋଟ ପାଇଥିଲେ । ତେଣୁ ଏଥର ସେ ରୀତାଙ୍କୁ ମୁକାବିଲା କରିବା ପାଇଁ ପୁରା ଜୋସରେ ଥିବା ଦେଖିବାକୁ ମିଳିଛି । ପ୍ରଚାର ଶେଷ ଦିନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ଦଳର ସବୁ ପୁରୁଖା ନେତାମାନେ ରୋଡ ସୋ କରି ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି । ତେବେ ଏକଦା କଂଗ୍ରେସର ଗଡ ଥିବା ବିଜେପୁର ମଇଦାନରେ ପଛରେ ପଡିଯାଇଛି କଂଗ୍ରେସ । ୨୧ରେ ବିଜେପୁରବାସୀ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୨୪ରେ ସ୍ପଷ୍ଟ ହେବ କାହାର ହେବ ବିଜେପୁର ।

LEAVE A REPLY

Please enter your comment!
Please enter your name here