ମହାଆଡମ୍ବରରେ ଆରମ୍ଭ ହୋଇଛି ରାୟଗଡା ଜିଲ୍ଲାର ଗଣପର୍ବ ଚଇତି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ରିତୀନୀତି ଅନୁସାରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଘଟ ଅଣାଯାଇଥିଲା । ଏଥିପାଇଁ ରାୟଗଡା ସହର ଏକପ୍ରକାର ଉତ୍ସବମୁଖର ହୋଇଉଠିଥିଲା । ଚଇତି ମହୋତ୍ସବର ପ୍ରଥମ ସଂନ୍ଧ୍ୟା ଥିଲା ଅତି ମନୋରମ । ଗୋଟିଏ ପରେ ଗୋଟିଏ କଳାକାରଙ୍କ ପାଦର ସ୍ପର୍ଶରେ ସତେ ଯେପରି ଉଲ୍ଲସିତ ହୋଇଥିଲା ଚଇତି ମୁକ୍ତାକାଶ । ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଅନୁଗୁଳର ନ୍ୟୁ କ୍ରିଏସନ ଡ୍ୟାନ୍ସ ଏକାଡୋମୀ ପକ୍ଷରୁ ଓଡିଶୀ ନୃତ୍ୟ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ରାଶ ଉପରେ ନୃତ୍ୟ ପରିବେଶଣ କରାଯାଇଥିଲା । ପରେ ପରେ ରାୟଗଡା ଜିଲ୍ଲାର ଆଦିମ ଜନଜାତି ଲାଞ୍ଜିଆସୌରା ପରିବେଶଣ କରିଥିଲେ ନିଜ ପାରମ୍ପରିକ ନୃତ୍ୟ । ଏହି ନୃତ୍ୟରେ ଝୁମି ଉଠିଥିଲେ ଉପସ୍ଥିତ ଦର୍ଶକ । ଏହାପରେ କଲିକତା ଓ ନେପାଳର କଳାକାର ମାନଙ୍କ ଦ୍ୱାରା ପରିବେଶଣ କରାଯାଇଥିଲା ଲୋକନୃତ୍ୟ । ୫ଦିନ ଧରି ଚାଲିବାକୁ ଥିବା ଏହି ଚଇତି ମହୋତ୍ସବରେ ଦର୍ଶକଙ୍କ ପାଇଁ ପଲ୍ଲିଶ୍ରୀ ମେଳାର ଆୟୋଜନ ମଧ୍ୟ କରାଯାଇଛି । ୩ଶହରୁ ଅଧିକ ଷ୍ଟଲରେ ପସରା ମେଲାଇଛନ୍ତି ବ୍ୟବସାୟୀ ।

LEAVE A REPLY

Please enter your comment!
Please enter your name here