ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଯାହା କି ବିଶ୍ୱବାସୀଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନଜରରେ ରଖି କରୋନାକୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ବିଶ୍ୱ ମହାମାରୀ ଘୋଷଣା କରିଛି । ଚାଇନାର ଉହାନରୁ ଆରମ୍ଭ ହୋଇଥିବା ଏହି ଭୂତାଣୁରେ ଏବେ ସାରା ବିଶ୍ୱରେ ୧,୨୧,୭୩୮ ଜଣ ଆକ୍ରାନ୍ତ ହୋଇଥିିବା ଜଣାପଡିଛି । ଚାଇନାରେ ୩୧୫୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୬୩୧,ଇରାନରେ ୩୫୪, ଦକ୍ଷିଣ କୋରିଆରେ ୬୦ ଓ ଫ୍ରାନ୍ସରେ ୩୩ଜଣଙ୍କର ମୁଣ୍ଡ ନେଇସାରିଲାଣି ଏହି ଘାତକ କରୋନା । ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । କେରଳରେ ଏହାର ସଂଖ୍ୟା ସର୍ବାଧିକ ୧୭ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ତତ୍ପରତା ଦେଖାଦେଇଛି । ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ ଭିଜାକୁ ସ୍ଥଗିତ ରଖିଛନ୍ତି । କୁଟନୈତିକ, ସରକାରୀ, ଜାତିସଂଘ, ନିଯୁକ୍ତି ଓ ପ୍ରକଳ୍ପ ଭିଜାକୁ ବାଦ ଦେଲେ ଅନ୍ୟ ସମସ୍ତ ଭିଜା ସ୍ଥଗିତ ରଖାଯାଇଥିବା କଥା ସରକାରଙ୍କ ପକ୍ଷରୁ କୁହାଯାଇଛି ।