ଶେଷରେ ଭାରତରେ ପହଁଞ୍ଚିଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ପ୍ରାୟ ୭ ହଜାର କିଲୋମିଟର ଉଡାଣ କରିବା ପରେ ରାଫେଲ ଭାରତ ସୀମାରେ ପ୍ରବେଶ କରିଥିଲା । ତେବେ ଉଡାଣ ସମୟରେ ଗତକାଲି ୩୦ ହଜାର ଫୁଟ ଉଚ୍ଚରେ ଏକ ଫ୍ରାନ୍ସ ଟ୍ୟାଙ୍କରରୁ ଇନ୍ଧନ ଭର୍ତ୍ତି କରିଥିଲା । ଭାରତୀୟ ବାୟୁ ସେନାର ଅଧିକାରୀମାନେ ଫ୍ରାନ୍ସରୁ ଏହି ରାଫେଲ ବିମାନ ଆଣିଥିଲେ । ଏଥିପାଇଁ ଆଜି ହରିୟାଣାର ଅମ୍ବାଲା ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଫ୍ରାନ୍ସ ନିର୍ମିତ ରାଫେଲ ଯୁଦ୍ଧ ବିମାନକୁ ସ୍ୱାଗତ କରିବା ପାଇଁ କ୍ୟାଣ୍ଡେଲ ଜାଳିବାକୁ ସ୍ଥାନୀୟ ବିଧାୟକ ନିବେଦନ କରିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ଅମ୍ବାଲା ଏୟାରବେସ୍ ଚତୁପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଥିଲା । ପ୍ରାୟ ଦୁଇ ଦଶନ୍ଧି ପରେ ଭାରତୀୟ ବାୟୁ ସେନାରେ ଲଢୁଆ ଯୁଦ୍ଧ ବିମାନକୁ ସାମିଲ କରାଯାଇଛି । ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରାଯାଇଛି । ୨୦୧୬ ସେପ୍ଟେମ୍ବର ୨୩ ତାରିଖରେ ୩୬ଟି ଯୁଦ୍ଧ ବିମାନ ଆଣିବା ପାଇଁ ଭାରତ ସରକାର ୫୯ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଯୁଦ୍ଧ ବିମାନ ଭାରତର ମାଟି ଛୁଇଁବା ପରେ ସବୁ ମହଲରେ ସ୍ୱାଗତ କରାଯାଇଛି । ଏବେ ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନ ସହ ସୀମା ବିବାଦକୁ ନେଇ ପରିସ୍ଥିତି ଚରମ ସୀମାରେ ପହଞ୍ଚିଥିବା ବେଳେ ବାୟୁସେନାରେ ରାଫେଲ ସାମିଲ ହେବା ଭାରତୀୟ ସେନାର ମନୋବଳ ବୃଦ୍ଧି କରିିଛି । ରାଫେଲ ପ୍ରତି ଘଣ୍ଟାରେ ୧୪ଶହ କିଲୋମିଟର ଗତି କରିବାର କ୍ଷମତା ରଖିଥିବା ବେଳେ ୫୦ ହଜାର ଫୁଟ ଉଚ୍ଚରେ ଉଡାଣ କରିପାରିବାର କ୍ଷମତା ରଖିଛି । ଏଥିସହିତ ୩ଶହ କିଲୋମିଟର ଦୂରରୁ ଶତ୍ରୁପକ୍ଷକୁ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କ୍ଷମତା ରଖିଛି ।