‘ଚିମେରିକା’ ସମୟ ସରିଯାଇଛି । ଅର୍ଥାତ ଚୀନ ଓ ଆମେରିକା ଭିତରେ ଥିବା ସଂପର୍କ ଏବେ ଶେଷ ହୋଇଯାଇଛି । 2008 ଆର୍ଥିକ ସଂକଟ ସମୟରେ ଆରମ୍ଭ ହୋଇଥିବା ଦୁଇ ରାଷ୍ଟ୍ର ଭିତରେ ସଂପର୍କର ମୃତ୍ୟୁ ହୋଇଯାଇଛି । 2015 ବେଳକୁ ସଂପର୍କର ଅବସାନ ଘଟିଥିବା ବେଳେ ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ବିଜୟ ସହ ଚୀନ-ଆମେରିକା ସଂପର୍କର ଅନ୍ତିମ ସଂସ୍କାର ହୋଇଯାଇଛି । ଏବେ ଶୀତଳ ଯୁଦ୍ଧର ସମୟ । ଭାରତ ଓ ଚୀନ ଭିତରେ ଆରମ୍ଭ ହୋଇଥିବା ସୀମା ବିବାଦରୁ ସୂତ୍ରପାତ ହୋଇଥିବା ତିକ୍ତତା ଏବେ ଶୀତଳ ଯୁଦ୍ଧରେ ପରିଣତ ହୋଇସାରିଛି । ଆମେରିକା ସହ ନୀବିଡ ସଂପର୍କ ପ୍ରତିଷ୍ଠା କରିବାରେ ଭାରତ ସମର୍ଥ ହୋଇଥିବା ବେଳେ ଚୀନ ତାର ସାମ୍ରାଜ୍ୟ ବିସ୍ତାର ଉଦ୍ୟମ ଜାରି ରଖିଛି । ଆମେରିକା ଷ୍ଟାନଫୋର୍ଡ ୟୁନଭରସିଟି ହୁଭର ଇନଷ୍ଟିଚ୍ୟୁସନର ସିନିଅର ଫେଲୋ ନିଆଲ ଫର୍ଗୁସନ ଏକ ସାକ୍ଷାତକାରରେ ଏହା କହିଛନ୍ତି । ଏସିଆ ମହାଦେଶରେ ଚୀନ ନିଜକୁ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହେବାକୁ ଉଦ୍ୟମ କରିବାରୁ ହିଁ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଛି । ତେବେ ଏହି ଶୀତଳ ଯୁଦ୍ଧ ଅର୍ଥନୀତି କ୍ଷେତ୍ରରେ ଏକ ନୂତନ ସମୀକରଣର ସୂତ୍ରପାତ କରିବ ବୋଲି ଫର୍ଗୁସନ କହିଛନ୍ତି । ବିଭିନ୍ନ ପ୍ରକାରର ଅର୍ଥନୈତିକ କାରବାର ଏବଂ ଉତ୍ପାଦିତ ସାମଗ୍ରୀ ଏବେ ଆଉ ଆଗଭଳି ଚୀନ ମାଧ୍ୟମରେ ହେବ ନାହିଁ । ଏସିଆ ମହାଦେଶରେ ନିଜ ଉତ୍ପାଦିତ ସାମଗ୍ରୀର ବଜାର ପାଇଁ ଏକ ବଡଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଚୀନରୁ ଅଧିକାଁଶ କଂପାନୀ ଏବେ ସେମାନଙ୍କ କାରଖାନା ଭାରତକୁ ସ୍ଥାନାନ୍ତର କରିବା ପାଇଁ ଚାହୁଁଛନ୍ତି । ଅର୍ଥନୈତିକ ଦୃଷ୍ଟିରୁ ଚୀନକୁ ଏକ ବଡ ଝଟକା ଦେବା ପାଇଁ ଆମେରିକା ଗୋଟି ଚଳାଉଛି । ଚୀନ ଚାହୁଁଛି, ଏସିଆର ସବୁ ରାଷ୍ଟ୍ର ତାର ଆଧିପତ୍ୟକୁ ସ୍ବୀକାର କରନ୍ତୁ । ଅଧିକାଁଶ ପଡୋଶୀ ରାଷ୍ଟ୍ରଙ୍କ ସହ ଚୀନ ଏଭଳି ଆକ୍ରମଣାତ୍ମକ ପଦକ୍ଷେପ ନେଇ ଆସିଛି । କିନ୍ତୁ ଲାଦାଖରେ ଭାରତର ପଦକ୍ଷେପ ଚୀନକୁ ବଡ ଚେକ୍ ଦେଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମେରିକା ସହ ଭାରତର ନୀବିଡତାକୁ ସହଜରେ ହଜମ କରିପାରୁନି ଚୀନ । ଅନ୍ୟପକ୍ଷରେ ଚୀନର ଏକଛତ୍ରବାଦୀ ଶାସନକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅଧିକାଁଶ ରାଷ୍ଟ୍ର ।

LEAVE A REPLY

Please enter your comment!
Please enter your name here