ଇଏ ଖୁସିର ଲୁହ । ଝିଅ ମିସ୍ ଇଣ୍ଡିଆ ରନର୍ସଅପ ଟାଇଟେଲ ହାତେଇବା ପରେ ବାପର ଛାତି କୁଣ୍ଢେମୋଟ । ଧାର ଧାର ହୋଇ ମା’ର ଆଖିରୁ ଝରିଯାଉଛି ଲୁହ । ଏମାନେ କୋଉ ବଡବଡିଆ ନୁହଁନ୍ତି । ଅଟୋ ଚଳାଇଲେ ଏମାନଙ୍କ ପେଟ ପୋଷା ହୁଏ । ଆମେ କହୁଛୁ ମାନ୍ୟା ସିଂହଙ୍କ କଥା । ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ୨୦୨୦ରେ ପ୍ରଥମ ରନର୍ସଅପ ହୋଇଛନ୍ତି ମାନ୍ୟା ସିଂହ । ମାନ୍ୟାଙ୍କ ବାପା ଜଣେ ଅଟୋ ଚାଳକ । ଅନେକ ସଂଘର୍ଷର ସାମ୍ନା କରିଛନ୍ତି ଏହି ପରିବାର । ଦିନ ଏମିତି ଥିଲା ଖାଲି ପେଟରେ ଶୋଉଥିଲେ ଏମାନେ । ମାନ୍ୟା କେମିତି ଭଲ ପାଠ ପଢିବ । ସେଥିପାଇଁ ସୁନା ଗହଣା ବନ୍ଧା ପକାଇ ଝିଅକୁ ପାଠ ପଢାଇଥିଲେ ପରିବାର । ଆଉ ଆଜି ଝିଅ ଟାଇଟେଲ ହାତେଇବାପରେ ଖୁସିର ସୀମା ନାହିଁ । ବାପା-ମା ଙ୍କୁ ସବୁ ଶ୍ରେୟ ଦେଇ ବିଜୟ ମୁକୁଟ ପିନ୍ଧାଇ ଦେଉଛି ଝିଅ । ବାପା ମୁମ୍ବାଇରେ ଅଟୋ ଚଳାଉଥିବାବେଳେ ମା ଏକ ଛୋଟ ଟେଲର ଦୋକାନଟିଏ କରିଛନ୍ତି । ଏତେ ସଂଘର୍ଷରେ ଜୀବନ ବିତାଇ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ମାନ୍ୟା । ନିଜ ସ୍ୱପ୍ନକୁ ପୁରା କରିବାକୁ ଲାଗିପଡିଥିଲେ ମାନ୍ୟା । ଆଉ ସବୁ ସଂଘର୍ଷ ଭିତରେ ଏବେ ବାପା ମାଙ୍କ ମୁଣ୍ଡ ଟେକ ରଖିଛନ୍ତି ସୁନା ଝିଅ ମାନ୍ୟା । ମିସ୍ ଇଣ୍ଡିଆ ସୋ କୁ ଯିବା ପାଇଁ ନିଜ ବାପାଙ୍କ ଅଟୋରେ ଯାଇଥିଲେ ମାନ୍ୟା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here