ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି । ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଆଶ୍ରିତ ପଟ୍ଟନାୟକ । କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଥିବା ବେଳେ ଆଜି ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ଦାଖଲ କରିଛନ୍ତି । ନିଜ ନିଜ ସମର୍ଥକଙ୍କ ସହ ପଟୁଆରରେ ଯାଇ ଉଭୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ବାପାଙ୍କ ଅଧୁରା ସ୍ବପ୍ନ ପୁରା କରିବେ ବୋଲି କହି ରୁଦ୍ର ପ୍ରତାପ ମଇଦାନକୁ ଓହ୍ଲାଇଥିବା ବେଳେ ଦୁର୍ନୀତି ବିରୋଧରେ ଲଢେଇର ସ୍ଲୋଗାନ ଦେଇଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କହିଛନ୍ତି, ରାଜଧାନୀ ଉପକଣ୍ଠରେ ଥାଇ ବି ପିପିଲି ନିର୍ବାଚନମଣ୍ଡଳୀ ଦୀପତଳ ଅନ୍ଧାର ଭଳି ପଡିରହିଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, 2019 ନିର୍ବାଚନରେ ପିପିଲି ଆସନରୁ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ 88, 518 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ 72,731 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଅଜିତ ମଙ୍ଗରାଜଙ୍କୁ ମାତ୍ର 9830 ଖଣ୍ଡ ଭୋଟ ମିଳିଥିଲା । ମହାରଥୀଙ୍କଠୁ ପ୍ରାୟ 16 ହଜାର ଭୋଟରେ ହାରିଥିବା ଆଶ୍ରିତ ଏଥର ନିର୍ବାଚନ ଜିତିବା ପାଇଁ ଆଶା ବାନ୍ଧିଛନ୍ତି । ମାତ୍ର 1995 ନିର୍ବାଚନକୁ ବାଦ୍ ଦେଲେ ପ୍ରଦୀପ ମହାରଥୀ 1985ରୁ 2019 ଯାଏଁ ଲଗାତର ନିର୍ବାଚନ ଜିତି ପିପିଲିକୁ ବିଜେଡିର ଦୁର୍ଗରେ ପରିଣତ କରିଥିଲେ । ଏବେ ବାପା ତିଆରି କରିଥିବା ଦୁର୍ଗକୁ ପୁଅ ରୁଦ୍ର ପ୍ରତାପ କେତେ ସୁରକ୍ଷିତ ରଖିପାରୁଛନ୍ତି, ତାଙ୍କ ପାଇଁ ବଡ ଚାଲେଞ୍ଜ ।