ଆଜି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଓଡିଶା । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି । ୧୯୩୬ ପୂର୍ବରୁ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ , ଦକ୍ଷିଣରେ ଗଞ୍ଜାମ, ମାଡ୍ରାସ ରେସିଡେନ୍ସି ଅଧିନରେ ଥିଲା , ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକିର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କ ପରି ବୀର ପୁତ୍ର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସଘଂର୍ଷ କରିଥିଲେ । ଏହି ବୀର ପୁତ୍ରଙ୍କ ସଘଂର୍ଷରେ ୧୯୦୩ରେ ପ୍ରଥମେ ଗଠନ ହୋଇଥିଲା ଉତ୍କଳ ସମ୍ମିଳନୀ । ଜୋରଦାର ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ ୧ରେ ଗଠନ ହେଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ । ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି ।
ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାର ଅନନ୍ୟ ସାଂସ୍ମୃତିକ ଐତିହ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ , ହସ୍ତକଳା ଏବଂ ନୃତ୍ୟ ପାଇଁ ଏ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି ଟୁଇଟ୍ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।