ଜୁନ୍ 1 ତାରିଖ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ମେ 19 ତାରିଖରେ ଲକଡାଉନ ଅବଧି ସରୁଥିବା ବେଳେ ରାଜ୍ୟ ସରକାର ଆଉ ଦୁଇସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ରାଜ୍ୟରେ ସଂକ୍ରମଣ ଥମୁ ନଥିବାରୁ ସରକାର ଲକଡାଉନ ଅବଧି ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ମଧ୍ୟ ବଳବତ୍ତର ରହିବ । ତେବେ ଲକଡାଉନ ସମୟରେ ସରକାର ଦିନ ବାରଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଯେଉଁ କୋହଳ ବ୍ୟବସ୍ଥା କରିଥିଲେ, ତାହାକୁ ଦିନ ଏଗାରଟା ଯାଏଁ କମାଇଛନ୍ତି । ଅର୍ଥାତ ସକାଳ ସାତଟାରୁ ଦିନ ଏଗାରଟା ଭିତରେ ପନିପରିବା କିଣିପାରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା ଘୋଷଣା କରିଛନ୍ତି । ରାଜ୍ୟରେ ଏବେ ବି ସଂକ୍ରମଣ ଦୈନିକ ଦଶହଜାରରୁ ଅଧିକ ରହିଛି । ତେଣୁ ସଂକ୍ରମଣ ରୋକିବାକୁ ସରକାର କଟକଣା ବଳବତ୍ତର ରଖିଛନ୍ତି । ବାହାଘରରେ ଭୋଜିଭାତ ରାନ୍ଧିବା ଏବଂ ଲୋକଙ୍କୁ ଖାଇବାକୁ ଦେବା ଉପରେ କଟକଣା ଜାରି କରାଯାଇଛି । ଅତିଥିମାନଙ୍କୁ ପ୍ୟାକେଟ ଖାଦ୍ୟ କେବଳ ଦିଆଯାଇପାରିବ ବୋଲି କୁହାଯାଇଛି । ପୂର୍ବରୁ ବାହାଘରରେ ପଚାଶ ଜଣଙ୍କୁ ଅମୁମତି ଦିଆଯାଉଥିବା ବେଳେ ଏବେ ତାହାକୁ 25 ଜଣଙ୍କୁ କମାଇ ଦିଆଯାଇଛି ।