କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଦୁଇ ନେତା ମୁହାଁମୁହିଁ । ପୁଣି ଦୁଇଜଣଯାକ ନେତା ଶାସକ ବିଜେଡି ଦଳର । ଜଣେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ଆଉ ଜଣେ ପାଲଲହଡା ବିଧାୟକ ମୁକେଶ ପାଲ୍ ।
କରୋନାକୁ ନେଇ ଅବସ୍ଥା ଅସମ୍ଭାଳ । ମାସ ମାସ ଧରି ସରକାର ଲକ୍ ଡାଉନ୍, ସଟ୍ ଡାଉନ୍ କରୁଛନ୍ତି । ଜୀବନ-ମରଣ ଭିତରେ ଚାଲିଛି ସଂଘର୍ଷ । ମାତ୍ର ସେପଟେ ଫିତା କାଟିବାକୁ ନେଇ କେମିତି ଚାଲିଛି ରାଜନୀତି, ନଜର ପକାନ୍ତୁ । କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଦୁଇ ନେତାଙ୍କ ଭିତରେ ଛକାପଞ୍ଝା । ସାଂସଦ ମହେଶ ସାହୁ ପହଞ୍ଚିବା ବେଳକୁ ଫିତା କାଟିଦେଇଛନ୍ତି ବିଧାୟକ ମୁକେଶ ପାଲ୍ । ବାସ୍ ତାପରେ ମହେଶଙ୍କ ରାଗ ପଞ୍ଚମରେ ।
ସାଂସଦ ମହେଶ ସାହୁଙ୍କ ଅଶ୍ରାବ୍ୟ ଭାଷା ଶୁଣିବା ପରେ ବିଧାୟକଙ୍କ ସମର୍ଥକ ବି ତାତିଗଲେ । ସାଂସଦଙ୍କ ବିରୋଧରେ ନାରାବାଜି ଦେଲେ । ଏମିତି ପାଟିତୁଣ୍ଡ ଓ ଉଚ୍ଚବାଚ ଭିତରେ ଦୁଇ ନେତା ଓ ସେମାନଙ୍କ ସମର୍ଥକମାନେ କୋଭିଡ ନିୟମକୁ ବି ଭୁଲିଗଲେ । ପାଖରେ ପୋଲିସ ଅଛନ୍ତି, ହେଲେ ଶାସକ ଦଳର ଦୁଇ ନେତାଙ୍କ ସମର୍ଥକ ଯେତେବେଳେ, କହିବେ କାହାକୁ ।
ରିପୋର୍ଟ : ଖଗେଶ୍ବର ମହାନ୍ତ, ପାଲଲହଡା

LEAVE A REPLY

Please enter your comment!
Please enter your name here