ବିବାହିତା ମହିଳା ଚାହିଁଲେ ସ୍ୱାମୀଙ୍କ ସହିତ ରହି ନପାରନ୍ତି । ଜଣେ ପ୍ରାପ୍ତ ବୟସ୍କା ମହିଳା ଭାବେ ସେ କେଉଁଠି ରହିବେ ସେ ନେଇ ନିଷ୍ପତ୍ତି ନେବା ଅଧିକାର ସମ୍ପୃକ୍ତ ମହିଳାଙ୍କ ଉପରେ ରହିଛି ବୋଲି ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି । ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର , ଜଷ୍ଟିଜ ଏଲ ଏମ ଖାନୱିଲକର , ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ମୁସଲମାନ ଯୁବକ ତାଙ୍କ ହିନ୍ଦୁ ପତ୍ନୀଙ୍କୁ ନେଇ କରିଥିବା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି ।
ମାମଲାରୁ ପ୍ରକାଶ ପାଇଛି ଯେ ୩୩ ବର୍ଷୀୟ ଜଣେ ମୁସଲମାନ ଯୁବକ ଛତିଶଗଡ ରାୟପୁରର ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ । ଉଭୟ ବିବାହ ମଧ୍ୟ କରିଥିଲେ । ତେବେ ବିବାହର କିଛି ଦିନ ପରେ ଯୁବତୀ ଜଣକ ତାଙ୍କ ବାପା ମାଙ୍କ ପାଖରେ ରହିବାକୁ ଇଛା ବ୍ୟକ୍ତ କରିଥିଲେ । ପ୍ରେମ ବିବାହ କରିଥିଲେ ମଧ୍ୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ସହିତ ନରହି ପିତାମାତାଙ୍କ ସହ ରହିବାକୁ ଚାହିଁବାରୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ୱାମୀ । ଏହି ଅଭିଯୋଗ ଭିତ୍ତିରେ ସୁପ୍ରିମ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ସୁପ୍ରିମ କୋର୍ଟରେ ହାଜର ହେବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ ମହିଳା ଜଣଙ୍କ କୋର୍ଟରେ ହାଜର ହୋଇ ନିଜ ବିବାହକୁ ସ୍ୱିକାର କରିଥିଲେ ମଧ୍ୟ ସ୍ୱାମୀଙ୍କ ସହ ନରହି ନିଜ ପିତାମାତାଙ୍କ ସହ ରହିବାକୁ ଇଛା କରିଥିଲେ । ଏହା ଏକ ବିବାହ ସମ୍ପର୍କିତ ପାରିବାରିକ ମାମଲା ବା ମାଟ୍ରିମୋନିଆଲ କେସ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିରେ କୋର୍ଟ ହସ୍ତକ୍ଷେପ କରି କହିଥିଲେ ଯେ ମହିଳା ଜଣକ ଜଣେ ପ୍ରାପ୍ତ ବୟସ୍କା । ତେଣୁ ନିଜ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି ।