2005 ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ ଓ ତୁଲସୀରାମ ମାମଲାରେ ପ୍ରମାଣ ଅଭାବରୁ ମୁମ୍ବାଇ କୋର୍ଟ ସମସ୍ତ 22 ଜଣ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି. ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ପରିମାଣର ସାକ୍ଷୀ ପ୍ରମାଣ ଅଭାବରୁ କୋର୍ଟ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି. ପୋଲିସର ପୂର୍ବ ସୂଚନା ଅନୁସାରେ, ସୋହରାବୁଦ୍ଦିନ୍‌ର ଲସ୍କର-ଇ-ତୋଏବା ସହିତ ଲିଙ୍କ୍‌ ଥିଲା ଏବଂ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାପାଇଁ ସେ ଷଡ଼ଯନ୍ତ୍ର ରଚିଥିଲା ବୋଲି ପୋଲିସ କହିଥିଲା. ଗୁଜରାଟ ପୁଲିସ୍‌ 2005 ମସିହା ନଭେମ୍ବର 22 ତାରିଖରେ ସୋହରାବୁଦ୍ଦିନ୍‌, ତା’ର ପତ୍ନୀ କୌସର୍‌ ବି  ଏବଂ ତୁଲ୍‌ସୀରାମ୍‌ଙ୍କୁ ଏକ ବସ୍‌ରୁ ହିଁ ଉଠାଇନେଇଥିଲା.ଏହାର 4 ଦିନ ପରେ ସୋହରାବୁଦ୍ଦିନ୍‌ଙ୍କୁ ଅହମ୍ମଦାବାଦଠାରେ ହତ୍ୟା କରାଯାଇଥିଲା. ପରେ କୌସର ବି ହଠାତ ଗାୟବ୍‌ ହୋଇଯାଇଥିଲେ ଏବଂ 29 ତାରିଖରେ ବନସ୍‌କଣ୍ଠା ଜିଲ୍ଲାରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା. ଏହି ଏନକାଉଣ୍ଟର ମାମଲାର ଏକମାତ୍ର ସାକ୍ଷୀ ଥିବା ତୁଲସୀରାମ ପ୍ରଜାପତିଙ୍କୁ ବି ଘଟଣାର ବର୍ଷକ ପରେ ଡିସେମ୍ବର 27, 2006 ରେ ହତ୍ୟା କରାଯାଇଥିଲା. ପୋଲିସ କହିଥିଲା, ତୁଲସୀରାମଙ୍କୁ ଅହମ୍ମଦାବାଦରୁ ରାଜସ୍ଥାନ ନେବା ବେଳେ ସେ ଖସିଯିବାକୁ ଉଦ୍ୟମ କରିବାରୁ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା. ତେବେ ଏହି ମାମଲାରେ ପାଖାପାଖି 38 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା. ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୂର୍ବତନ ପୁଲିସ୍‌ ଅଧିକାରୀ ଡିଜି ବଞ୍ଜାରା ଏବଂ ଅନ୍ୟ ପୁଲିସ୍‌ ଅଧିକାରୀଙ୍କ ସମେତ 16 ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ. ସାକ୍ଷ୍ୟ ପ୍ରମାଣ ଅଭାବରୁ ଆଜି ଆଉ 22ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି.

LEAVE A REPLY

Please enter your comment!
Please enter your name here