ବିଧାନସଭାର ସଂକ୍ଷିପ୍ତ ମୌସୁମୀ ଅଧିବେସନ ଶେଷ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ବାରମ୍ବାର ମୁଲତବୀ ଭିତରେ ବିଧାନସଭାରେ ଆଠଟି ସଂଶୋଧନ ବିଲ୍ ପାରିତ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ପୌର ନିର୍ବାଚନ ସଂଶୋଧନ ବିଲରେ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଗୃହରେ ପାରିତ ହୋଇଛି । ଏହି ସଂରକ୍ଷଣ ବ୍ୟବସ୍ଥାରେ ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ପଚାଶ ପ୍ରତିଶତ ଆସନ ସଂରକ୍ଷିତ ରହିବ । ସେହିପରି ଜାତି ଭିତ୍ତିକ ଜନଗଣନା ଓ ପଚାଶ ପ୍ରତିଶତ ସଂରକ୍ଷଣ ସଂପର୍କିତ ସଂକଳ୍ପ ମଧ୍ୟ ପାରିତ ହୋଇଛି । ତେବେ ସ୍ବଳ୍ପକାଳୀନ ଅଧିବେସନ ସମୟ ଭିତରେ ଅଧିକାଂଶ ସମୟ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଯାଇଥିଲା । ପ୍ରଥମରୁ ମରୁଡି ପ୍ରସଙ୍ଗ ଉପରେ ଆଲୋଚନା ଦାବି କରି ବିରୋଧୀ ହଟ୍ଟଗୋଳ କରିଥିଲେ । ସେହିପରି କେନ୍ଦ୍ର ସରକାର ସାର ଯୋଗାଣରେ ପାତରଅନ୍ତର କରୁଥିବା ନେଇ ଶାସକ ଦଲ ବିଧାୟକମାନେ କେନ୍ଦ୍ର ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇବା ସହ ସରକାର ଡିଏଫଓଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ପାରଳାଖେମୁଣ୍ଡି ବିଧାୟକ ଆରୋପ କରିଥିଲେ । ଅଧିବେସନର ଶେଷ ଦିନରେ ନ୍ୟାୟ ପାଇବା ପାଇଁ ଦାବି କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଗୃହ ସରଗରମ ହୋଇଥିଲା । ଚିକିତ୍ସା ପାଇବା ପାଇଁ ସେ ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ଗତକାଲି ବିଧାନସଭା ଆଗରେ ହାତକାଟି ଓ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ତୁରନ୍ତ କଟକ ବଡ ମେଡିକାଲ ପଠାଯାଇଥିଲେ ହେଁ ଶେଷରେ ସେ ଗତକାଲି ରାତିରେ ଆଖି ବୁଜି ଦେଇଥିଲା ।

LEAVE A REPLY

Please enter your comment!
Please enter your name here