ସରକାରଙ୍କ ପାର୍ବଣ ନୀତିକୁ ନେଇ ଅସନ୍ତୁଷ୍ଟ କଟକ ପୂଜା କମିଟି । ପ୍ରତିବାଦରେ ଆସନ୍ତାକାଲି କଟକ ନଗର ପୂଜା କମିଟି ପକ୍ଷରୁ ଛ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଆଁରେ ଘିଅ ଢାଳିଦେଇଛି ବିଜେପି । ସରକାରଙ୍କ ପାର୍ବଣ ନିୟମକୁ ବିରୋଧ କରି ଆସନ୍ତାକାଲି ବାର ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ଗତକାଲି ପୂଜା କମିଟି ବୈଠକରେ ଯୋଗ ଦେଇଥିବା ରାଜନେତାଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା । ସରକାରଙ୍କ ନିଷ୍ପତ୍ତିକୁ ପ୍ରଥମରୁ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠି, ପୂର୍ବତନ ମନ୍ତ୍ରୀ ସମୀର ଦେ ପ୍ରମୁଖ ସମାଲୋଚନା କରିଥିବା ବେଳେ ସରକାରଙ୍କ ନୀତିକୁ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବଚନ ବିଧାୟକ ପ୍ରଭାତ ବିଶ୍ବାଳ ପ୍ରମୁଖ ସମର୍ଥନ କରି ଆସୁଛନ୍ତି । ଦେବୀଙ୍କ ମୁଣ୍ମୟୀ ମୂର୍ତ୍ତିର ଉଚ୍ଚତା ଚାରିପୁଟ ମଧ୍ୟରେ ସୀମିତ ରଖିବାକୁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଥମରୁ ବିରୋଧ ହୋଇଥିଲା । ମୂର୍ତ୍ତିର ଉଚ୍ଚତା ସହିତ କୋଭିଡ ସଂକ୍ରମଣର କିଛି ସଂପର୍କ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ନିୟମ ସଂଶୋଧନ କରି ମୂର୍ତ୍ତିର ଉଚ୍ଚତା ବଢାଇବାକୁ ସରକାରଙ୍କ ଉପରେ ଚାପ ପକାଇଥିଲେ । କିନ୍ତୁ ଫଳ କିଛି ବାହାରିଲା ନାହିଁ । ସରକାରଙ୍କ ନିଷ୍ପତ୍ତି ପଛରେ ଥିବା ପ୍ରଭାବଶାଳୀ ନେତାମାନେ ପଛକୁ ହଟିବାକୁ ଚାହିଁଲେନି । ଯାହାର ପରିଣାମସ୍ବରୁପ ଏବେ କଟକ ସହରରେ ପୂଜାକୁ ନେଇ ଅସନ୍ତୋଷ ବଡିବାରେ ଲାଗିଛି ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ କହିଛନ୍ତି, ସରକାର କଟକ ସହରର ମୂରବୀଙ୍କୁ ଅପମାନିତ କରିଛନ୍ତି । ସରକାର ଓ ପ୍ରଶାସନ ଭିତରେ ତାଳମେଳର ଅଭାବ ଦେଖା ଦେଉଛି । ଏବେ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ କହୁଥିବା ବେଳେ ଆଗରୁ ସେ କୁଆଡେ ଯାଇଥିଲେ ବୋଲି ସମୀର ଦେ ପ୍ରଶ୍ନ କରିଛନ୍ତି । ସେହିପରି ଭର୍ତ୍ତୃହରିଙ୍କ ପ୍ରସ୍ତାବକୁ ସମାଲୋଚନା କରିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । ସରକାରଙ୍କ ପୂଜା ନିୟମକୁ ନେଇ ବିଜେଡି ନେତାମାନେ ମଧ୍ୟ ଦୁଇ ଭାଗ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତାକାଲି କଟକ ସହର ବନ୍ଦ ଡାକରା ସରକାରଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବାକୁ ଯାଉଛି ।