ସୋନାଲୀ ଗର୍ଗ । ବୟସ ୨୨ । ମାତ୍ର ୨୨ ବର୍ଷ ବୟସରେ ସେ ଏମିତି ଏକ କାମ କରିଛନ୍ତି ଯାହା ଶୁଣିଲେ ଆପଣ ବି ପ୍ରଶଂସା କରିବେ । ସୋନାଲି ନିଜର ଗୋଟିଏ କିଡନୀ ଦେଇ ବାପାଙ୍କୁ ଦେଇଛନ୍ତି ନୂଆ ଜୀବନ । ଆଉ ଏଇ ଫଟୋରୁ ହିଁ ଜଣାପଡୁଛି ବାପା ଝିଅଙ୍କ ଭିତରେ ଥିବା ନିବିଡ ସମ୍ପର୍କ । ୨୨ ବର୍ଷୀୟା ସୋନାଲୀ ନିଜ ପରିବାର ପାଇଁ ଯାହା କରିଛନ୍ତି, ତାହା ହୁଏତ ଗୋଟିଏ ପୁଅ ବି କରି ପାରିବ ନାହିଁ ।
କଳାହାଣ୍ଡି କୋକସରା ବ୍ଲକ ଲଡୁଗାଁର ୪୭ ବର୍ଷୀୟ ସୁନିଲ ଗର୍ଗ । କିଛି ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିଲେ ସୁନିଲ । ଧିରେ ଧିରେ ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯିବା ଫଳରେ ଜୀବନ ମରଣ ସହ ସଂଘର୍ଷ କରୁଥିଲେ ସୁନିଲ । ପରିବାର ଲୋକେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ସୁନିଲଙ୍କୁ କିଏ ଦେବ କିଡନୀ, ସେନେଇ ପରିବାରରେ ପଡିଯାଇଥିଲା ଭାଳେଣି । ବାପାଙ୍କୁ କିଡନୀ ଦେବା ପାଇଁ ଆଗେଇ ଆସିଥିଲେ ଝିଅ ସୋନାଲୀ । ମାତ୍ର ଝିଅର ଭବିଷ୍ୟତ କଥା ଚିନ୍ତା କରି ବାପା ଓ ପରିବାର ତାଙ୍କୁ ବାରଣ କରିଥିଲେ । କିନ୍ତୁ କିଡନି ଦାନ କରିବାକୁ ଝିଅ ସୋନାଲି ଅଡ଼ି ବସିଥିଲା । ଝିଅର ଜିଦ୍ ଆଗରେ ପରିବାର ଲୋକେ ରାଜି ହୋଇଥିଲେ । ପରେ ଦିଲ୍ଲୀ ର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖ ଦିନ କିଡନି ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ ସୁନିଲ ଗର୍ଗ । ଝିଅର ସମସ୍ତ ପରୀକ୍ଷା କରାଯିବା ପରେ ସଫଳତାର ସହ କିଡନି ପ୍ରତିରୋପଣ ହୋଇଛି । ଅସ୍ତ୍ରୋପଚାର ପରେ ସୁନିଲ ଓ ତାଙ୍କ ଝିଅ ସୋନାଲି ସୁସ୍ଥ ଅଛନ୍ତି । ତେବେ ଝିଅ କୁ ଜନ୍ମ ଦେଇ ବାପା ଓ ପରିବାର ଗର୍ବିତ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here