ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ଆଉ ନାହାଁନ୍ତି । ଦୀର୍ଘଦିନ ଧରି କରୋନା ସହ ଲଢିବା ପରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଦୀର୍ଘବର୍ଷ ଧରି ସେ ଦୈନିକ ସମ୍ବାଦ, ‘ପ୍ରଜାତନ୍ତ୍ର’ରେ ସାମ୍ବାଦିକତା କରିବା ପରେ 2001 ରୁ ‘ଜନତନ୍ତ୍ର’ ନାମରେ ଏକ ପତ୍ରିକା ପ୍ରକାଶ କରି ଆସୁଥିଲେ । ମୁଖ୍ୟତଃ ସେ ତାଙ୍କ ସାମ୍ବାଦିକତା ଜୀବନରେ ଦଳିତ, ଆଦିବାସୀ ଏବଂ ଅସହାୟ ମଣିଷର ସାଥୀ ହୋଇ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁବେଳକୁ ତାଙ୍କୁ 70 ବର୍ଷ ହୋଇଥିଲା । ନିକଟରେ ଆମେ ଆଉ ଜଣେ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କୁ ହରାଇଥିଲେ । ‘ଦି କମନ ଟାଇମ୍ସ’ର ସଂପାଦକ ସତ୍ୟଜିତ ମହାପାତ୍ର ମଧ୍ୟ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।
ସାମ୍ବାଦିକତା ସମୟରେ ବିବେକାନନ୍ଦ ଦାସଙ୍କ ସହ ପରିଚୟ ହୋଇଥିଲା । ଆଉ ବୃତ୍ତିଗତ ପରିଚିତିରୁ କ୍ରମଶଃ ସଂପର୍କ ନୀବିଡ ହୋଇଯାଇଥିଲା । ମୁଁ ତାଙ୍କୁ ବିବେକାନନ୍ଦ ଭାଇ ବୋଲି ଡାକୁଥିଲି । ସେ ମତେ ସାନଭାଇ ଭଳି ଭଲ ପାଉଥିଲେ । ତେବେ ସଂପର୍କ ନିବୀଡ ହେବାର ମାଧ୍ୟମ ଥିଲା, ତାଙ୍କର ବିଚାରଧାରା ସହ କୋଉଠି ନା କୋଉଠି ମୋ ଚିନ୍ତାଧାରାର ସାମଞ୍ଜସ୍ୟ ରହିଥିଲା । ସେ ଖବରକାଗଜରେ ସାମ୍ବାଦିକତା କରୁଥିଲେ, ମୁଁ ଖବରକାଗଜ ଛାଡି ଟିଭି ଚ୍ୟାନେଲକୁ ଆସି ହାତରେ ବୁମ୍ ଓ କ୍ୟାମେରା ଧରି ସାମ୍ବାଦିକତା କରୁଥିଲେ ହେଁ ରୁଚି କିନ୍ତୁ ବଦଳି ନ ଥିଲା । ଅସହାୟ ମଣିଷକୁ ସହଯୋଗର ହାତ ବଢାଇବା, ନିର୍ଯାତିତ ମଣିଷକୁ ନ୍ୟାୟ ଦେବା ପାଇଁ ସାମ୍ବାଦିକତା ଥିଲା ଏକ ପ୍ଲାଟଫର୍ମ ।
ବିବେକାନନ୍ଦ ଭାଇଙ୍କ ସହ ଖବର ଦେଣନେଣର ସଂପର୍କ ଭିତରେ ଆମେ ସାଙ୍ଗ ହୋଇ ଏକାଧିକ ଥର ମାଓବାଦୀ ଇଲାକାରେ ଖବର ସଂଗ୍ରହ ପାଇଁ ଯାଉଥିଲୁ । କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଦଳିତ, ଜନଜାତିଙ୍କ ଅସହାୟତାର କାହାଣୀ ସଂଗ୍ରହ କରୁଥିଲୁ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ପରେ ମାଓବାଦୀଙ୍କ ଦ୍ବାରା ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଯେଉଁ କେତେଜଣ ସାମ୍ବାଦିକ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରେ ବିବେକାନନ୍ଦ ଭାଇ ଓ ମୁଁ ଯାଇଥିଲୁ । ତେବେ ଅସହାୟ ମଇଷର କାହାଣୀ ଛାପିବା ବା ପ୍ରସାରଣ କରିବା ଏବଂ ସରକାରଙ୍କ ନଜରକୁ ଆଣିବା ଆମର ମୁଖ୍ୟ କାର୍ଯ୍ୟ ଥିଲା ।
ଆଜି ବିବେକାନନ୍ଦ ଭାଇ ଚାଲିଗଲେ । ମାତ୍ର ସେତେବେଳ ସମୟର ସାମ୍ବାଦିକତା କରୁଥିବା କତିପୟ ଆଦର୍ଶବାଦୀ ସାମ୍ବାଦିକଙ୍କ ମଧ୍ୟରେ ସେ ଥିଲେ ଜଣେ । ଅର୍ଥ ରୋଜଗାର ପାଇଁ ନୁହେଁ, ନିଜର ଆଦର୍ଶ ବିଚାରଧାରା ପାଇଁ ସାମ୍ବାଦିକତା କରୁଥିଲେ ଏବଂ ସାମ୍ବାଦିକତା ବୃତ୍ତି ସହ ସାଲିସ କରୁ ନ ଥିଲେ ।
ବିବେକାନନ୍ଦ ଭାଇଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
(ଅପୂର୍ବ କୁମାର ମହାନ୍ତି, ସଂପାଦକ/ତକ୍ଷକ ଟିଭି)

LEAVE A REPLY

Please enter your comment!
Please enter your name here