ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଆଉ ପାଞ୍ଚଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା 14ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ପାଞ୍ଚଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଚାରିଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି । ତେବେ ସଂକ୍ରମିତଙ୍କ ମଧ୍ୟରୁ ଚାରିଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ଜଣେ ବିଦେଶ ନ ଯାଇ ବି ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ 21 ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚିହ୍ନଟ ସଂପର୍କରେ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦଶଦିନରେ 14 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଉଦବେଗ ପ୍ରକାଶ ପାଇଛି ।

ସଂମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 961ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 263 ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 252 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମୋଟ କୋଭିଡ ଆକ୍ରାନ୍ତଙ୍କ 46 ପ୍ରତିଶତ ହେଉଛନ୍ତି ଓମିକ୍ରନ ।

ଅନ୍ୟପକ୍ଷରେ ଦେଶରେ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବାରୁ କେନ୍ଦ୍ର ସରକାର ଆଠଟି ରାଜ୍ୟକୁ ଚିଠି ଲେଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହିସବୁ ରାଜ୍ୟଗୁଡିକ ହେଲେ, ଦିଲ୍ଲୀ, ତାମିଲନାଡୁ, ହରିୟାନା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଝାଡଖଣ୍ଡ ।

LEAVE A REPLY

Please enter your comment!
Please enter your name here